Categories: ଜାତୀୟ

ଶ୍ରମିକ-ଭୂମିହୀନ କୃଷକଙ୍କ ଋଣ ଛାଡ କରିବେ ପଞ୍ଜାବ ସରକାର

ଚଣ୍ଡିଗଡ,୨୧ ।୮: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କ୍ଷେତରେ କାମ କରୁଥିବା ଶ୍ରମିକ, ଭୂମିହୀନ କୃଷକଙ୍କ ପାଇଁ ଏକ ବଡ ଆଶ୍ୱାସନା ଭରା ପ୍ୟାକେଜ ଘୋଷଣା କରିଛନ୍ତି । କ୍ୟାପଟେନ ଅମରିନ୍ଦର ସିଂ ଶୁକ୍ରବାର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ୨.୮୫ ଲକ୍ଷ କ୍ଷେତରେ କାମ କରୁଥିବା ଶ୍ରମିକ ଓ ଭୂମିହୀନ କୃଷକଙ୍କ ପାଇଁ ୫୨୦ କୋଟି ଟଙ୍କା ଋଣ ଛାଡ ଯୋଜନା ଆରମ୍ଭ କରିଛନ୍ତି । ସେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ପ୍ରଦର୍ଶନ କରୁଥିବା କୃଷକଙ୍କ ସମର୍ଥନରେ ଅଛନ୍ତି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ରାଜୀବ ଗାନ୍ଧୀଙ୍କ ୭୭ତମ ଜନ୍ମଦିନରେ ରାଜ୍ୟର ଗରିବଙ୍କୁ ଏହି ଉପହାର ଦେଇଛନ୍ତି । ଏହି ଯୋଜନା ଲଞ୍ଚ କରି ସେ କହିଛନ୍ତି, ମୁଁ ଆଶା କରୁଛି ଏମିତି ଏକ ଦିନ ଆସିବ ଯେଉଁଦିନ ଆମ ଦେଶ ଗରିବ ମୁକ୍ତ ହୋଇଯିବ । ଯେଉଁ ସ୍ୱପ୍ନ ରାଜୀବ ଗାନ୍ଧୀ ଦେଖୁଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଘନିଷ୍ଠ ବନ୍ଧୁ ବୋଲି କହି ଅମରିନ୍ଦର କହିଛନ୍ତି ସବୁବେଳେ ରାଜୀବ ପଚାରୁ ଥିଲେ କେବେ ସେ ଦିନ ଆସିବ ଯେଉଁଦିନ ଦେଶ ଗରିବ ମୁକ୍ତ ହେବ । ତେଣୁ ତାଙ୍କ ୭୭ ତମ ଜନ୍ମ ଦିନରେ ଏହି ଯୋଜନା ଘୋଷଣା କରିବା ଉଚିତ ହୋଇଛି ବୋଲି ଅମରିନ୍ଦର ମନେ କରିଛନ୍ତି ।

Share