Categories: ବାଣିଜ୍ୟ

ଭାରତରେ ୫୦୦ କର୍ମଚାରୀଙ୍କୁ ଛଟେଇ କଲା ଆମାଜନ

ନୂଆଦିଲ୍ଲୀ,୧୬।୫:ଆମାଜନ ଭାରତରେ ତା’ର ୫୦୦ଜଣ କର୍ମଚାରୀଙ୍କୁ ଛଟେଇ କରିଛି। ବର୍ତ୍ତମାନ ଭାରତରେ ବେରୋଜଗାର ସମସ୍ୟା ଦିନକୁ ଦିନ ବଢୁଥିବାବେଳେ ଇ-କମର୍ସ କମ୍ପାନୀମାନେ କର୍ମଚାରଙ୍କୁ ଚାକିରୀରୁ ବାହାର କରିଦେଉଛନ୍ତି। ଆମାଜନର ସିଇଓ ଆଣ୍ଡି ଜାସି ସାରା ବିଶ୍ୱରେ ଥିବା ଆମାଜନ କମ୍ପାନୀରୁ ୯୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ମାର୍ଚ୍ଚ ମାସରେ ଘୋଷଣା କରିଥିଲେ।

କମ୍ପାନୀ କୋଚି ଏବଂ ଲକ୍ଷ୍ନୌରେ ସେଲର୍‌ ଅନବୋର୍ଡିଂ କାର୍ଯ୍ୟ ବନ୍ଦ କରିଦେଇଛି। ତେବେ ଏନେଇ ଆମାଜନ କୌଣସିି ପ୍ରତିକ୍ରିୟା ଦେଇନାହିଁ। ଗତ କିଛି ମାସ ମଧ୍ୟରେ ଆମାଜନ ଦ୍ୱିତୀୟ ଥର ପାଇଁ କର୍ମଚାରୀଙ୍କୁ ଛଟେଇ କରୁଛି। ଚଳିତ ବର୍ଷ ଆରମ୍ଭରେ ପ୍ରାୟ ୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରାଯିବ ବୋଲି କମ୍ପାନୀ କହିଛି। ନଭେମ୍ବର ୨୦୨୨ର ଏକ ରିପୋର୍ଟ ଅନୁଯାୟୀ ଆମାଜନ ନିଜର ଗ୍ଲୋବାଲ୍‌ ପ୍ଲାନ୍‌ ଅଧୀନରେ ଭାରତରୁ ଅନେକ ଚାକିରୀ ହଟାଇବ ବୋଲି ଦର୍ଶାଯାଇଥିଲା।

ସୂଚନାଯୋଗ୍ୟ, ଜାନୁଆରୀରେ କମ୍ପାନୀ ଗୁରୁଗ୍ରାମ, ବେଙ୍ଗାଲୁରୁ ସମେତ ଅନେକ କାର୍ଯ୍ୟାଳୟରେ ଛଟେଇ କରିଥିଲା। ଘାଟାରେ ଚାଲୁଥିବା ବିଭାଗରୁ ଅଧିକାଂଶ ଛଟେଇ କରାଯାଇଥିଲା।

 

Share