ଲକ୍ଷ୍ନୌ,୨୮ା୯: ଆମେରିକାର ଆମାଜନ ନଦୀରେ ଥିବା କ୍ୟାଟ୍ଫିସ୍ ନାମକ ପ୍ରଜାତିର ଏକ ମାଛ କାଶୀ ଗଙ୍ଗାରେ ଦେଖିବାକୁ ମିଳିଛି। ଗଙ୍ଗାରେ ଏହି ମାଛକୁ ଦେଖି ପ୍ରାଣୀ ବିଜ୍ଞାନୀମାନେ ଚିନ୍ତାରେ ପଡ଼ିଛନ୍ତି। ଏକ ମାସ ମଧ୍ୟରେ ଗଙ୍ଗାରେ ଦ୍ୱିତୀୟ ଥର ପାଇଁ ଏହି କ୍ୟାଟଫିସ୍ ଦେଖିବାକୁ ମିଳିଛି।
ଏହି ମାଛ ଗଙ୍ଗାର ପରିବେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି ବିବେଚନା କରାଯାଏ। ୨୪ ସେପ୍ଟେମ୍ବରରେ କାଶୀର ଦକ୍ଷିଣରେ ଥିବା ରାମନା ଗ୍ରାମ ନିକଟ ଗଙ୍ଗାରେ ଏହା ଦେଖିବାକୁ ମିଳିଥିଲା। ଏହି ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଥିଲା। ଏହି ଅଜବ ମାଛକୁ ଦେଖି ମତ୍ସ୍ୟଜୀବୀମାନେ ଗଙ୍ଗାର ସୂଚନା ପ୍ରଭାରୀ ଦର୍ଶନ ନିଶାଦଙ୍କୁ ସୂଚନା ଦେଇଥିଲେ। ଡେରାଡୁନର ଓ୍ବାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ୍ରେ କାର୍ଯ୍ୟରତ ଦର୍ଶନ ନିଶାଦ ଏହାକୁ ଦେଖି ଚିହ୍ନଟ କରିଥିଲେ। ସେମାନେ ମାଛଟିକୁ ଜୀବନ୍ତ ଅବସ୍ଥାରେ ପ୍ରାଣୀ ବିଜ୍ଞାନୀଙ୍କ ନିକଟକୁ ନେଇଥିଲେ। ଏହା ସହିତ ଡେରାଡୁନର ଓ୍ବାଇଲ୍ଡ ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ର ଏକ ମାଛ ବିଶେଷଜ ଡ. ରୁଚି ବାଡୋଲାଙ୍କୁ ମଧ୍ୟ ଏହି ମାଛର ଏକ ଫଟୋ ଏବଂ ଭିଡିଓ ପଠାଯାଇଛି।
ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ଏହି ଚଳିତମାସ ୩ ତାରିଖରେ ମଧ୍ୟ ଗଙ୍ଗାର ସୁଜାବାଦ ନିକଟରେ ସୁବର୍ଣ୍ଣ ରଙ୍ଗର ଏକ କ୍ୟାଟ୍ଫିସ୍ ମିଳିଥିଲା। ପ୍ରାଣୀ ବିଜ୍ଞାନୀମାନେ ଏହି ମାଛ ଦ୍ୱାରା ସୃଷ୍ଟି ହୋଇଥିବା ପରିବେଶ ପରିବର୍ତ୍ତନ ବିଷୟରେ ଜାଣିବାକୁ ଆରମ୍ଭ କରିଛନ୍ତି।