Categories: ବାଣିଜ୍ୟ

ଇଣ୍ଡିଆ ପୋଷ୍ଟ ସହ ଆମାଜନ୍‌ର ବୁଝାମଣା

ନୂଆଦିଲ୍ଲୀ,୫।୧୦: ଇଣ୍ଡିଆ ପୋଷ୍ଟ ଏବଂ ଆମାଜନ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ଆମାଜନ୍‌ ଟ୍ରାନ୍ସପୋର୍ଟେଶନ ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ଡିପାର୍ଟମେଣ୍ଟ ଅଫ୍‌ ପୋଷ୍ଟ୍‌ସ ପକ୍ଷରୁ ଦେଶବ୍ୟାପୀ ସେମାନଙ୍କର ଲଜିଷ୍ଟିକ୍ସ ପାର୍ଟନରଶିପକୁ ମଜଭୁତ କରିବା ପାଇଁ ଏକ ରଣନୈତିକ ଚୁକ୍ତି କରିଛନ୍ତି। ଏହି ବୁଝାମଣା ଇ କମର୍ସ ପରିବହନ କ୍ଷେତ୍ରରେ ଏକ ନୂଆ ବେଞ୍ଚ୍‌ମାର୍କ ସୃଷ୍ଟି କରିବ। ସେହିଭଳି ଏହି ବୁଝାମଣା ଅଧୀନରେ ଉଭୟ ସଂସ୍ଥାର ଦକ୍ଷତାକୁ ସର୍ବାଧିକ କରିବା ସହ ସଂସାଧନର ଉପଯୋଗକୁ ମଧ୍ୟ ଉନ୍ନତ କରିବା ଏବଂ ନିଜର ଲଜିଷ୍ଟିକ ନେଟ୍‌ୱର୍କଗୁଡିକରେ ମିଳିତ କ୍ଷମତାକୁ ଅନ୍ବେଷଣ କରିବା ପାଇଁ ବାଧାହୀନ ଏକତ୍ରୀକରଣ ଓ ସୂଚନାର ଆଦାନପ୍ରଦାନ ମାଧ୍ୟମରେ ପରିଚାଳନାକୁ ସମକାଳୀନ କରିବେ। ଏହି ବୁଝାମଣା ଦ୍ୱିପାକ୍ଷିକ ଅଭିବୃଦ୍ଧିକୁ ପରିଚାଳନା କରିବା ସହ ଭାରତର ଗ୍ରାମାଞ୍ଚଳରେ ଉନ୍ନତ ସେବା ଯୋଗାଇବ। ବିଶେଷ କରି ସୁଦୂର ଅଞ୍ଚଳଗୁଡିକରେ ଆମାଜନ୍‌ର ଗ୍ରାହକଙ୍କ ପାଇଁ ଡେଲିଭରି ଅନୁଭୂତିକୁ ଏହା ଉନ୍ନତ କରିବ।
ଏ ସମ୍ପର୍କରେ ଆମାଜନ୍‌ ଇଣ୍ଡିଆର ଉପାଧ୍ୟକ୍ଷ (ପରିଚାଳନା ବିଭାଗ) ଅଭିନବ ସିଂହ କହିଛନ୍ତି, ଆମେ ଭାରତରେ ଆମର ଗ୍ରାହକ ଓ ସମୁଦାୟଗୁଡିକୁ ସେବା ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ ଆହୁରି ଅନେକ ସଫଳତା ହାସଲ କରିବା ପାଇଁ ଲକ୍ଷ୍ୟ ରଖିଛୁ। ସେହିଭଳି ଡାକ ବିଭାଗର ସଚିବ (ଡାକ) ବନ୍ଦିତା କୌଲ କହିଛନ୍ତି, ପ୍ରାୟ ୧,୬୫,୦୦୦ ଡାକଘରର ବ୍ୟାପକ ନେଟ୍‌ୱର୍କ ଥିବା ଇଣ୍ଡିଆ ପୋଷ୍ଟ ସମଗ୍ର ଦେଶରେ ଇ-କମର୍ସକୁ ଗଣତାନ୍ତ୍ରିକ କରିବା ପାଇଁ ଅନନ୍ୟ ଭାବେ ସୁସଜ୍ଜିତ ରହିଛି। ଏପରିକି ଆମାଜନ୍‌ ସହିତ ଆମର ସହଭାଗିତା ଡିଜିଟାଲ ବିଭାଜନକୁ ଦୂରକରିବା ସହ ସମସ୍ତ ନାଗରିକଙ୍କ ପାଇଁ ଇ-କମର୍ସକୁ ବୃଦ୍ଧି କରିବା ପାଇଁ ଆମର ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ପ୍ରତିନିଧିତ୍ୱ କରୁଛି।

Share