ନୂଆଦିଲ୍ଲୀ,୧୦।୧୦: ଏସିଆର ସବୁଠୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଟେସ୍ଲାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଏଲନ ମସ୍କ ଓ ଆମାଜନ ସଂସ୍ଥାପକ ଜେଫ୍ ବେଜୋସଙ୍କ ଭଳି ୧୦୦ ବିଲିୟନ ଡଲାର ୱେଲ୍ଥ କ୍ଲବରେ ସାମିଲ ହୋଇଛନ୍ତି। ବ୍ଲୁମ୍ବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ ସୂଚୀ ଅନୁସାରେ ଅମ୍ବାନୀଙ୍କୁ ବିଶ୍ୱର ୧୧ତମ ଧନୀ ବ୍ୟକ୍ତି ଭାବେ ବିବେଚନା କରାଯାଇଛି। ବ୍ଲୁମ୍ବର୍ଗ ସୂଚୀ ଅନୁସାରେ ଚଳିତ ବର୍ଷ ମୁକେଶଙ୍କ ସମ୍ପତ୍ତି ୨୩.୮ ବିଲିୟନ ଡଲାର ବୃଦ୍ଧି ଘଟିଛି। ଫଳରେ ବର୍ତ୍ତମାନ ତାଙ୍କର ମୋଟ ସମ୍ପତ୍ତି ୧୦୦.୬ ବିଲିୟନ ଡଲାରରେ ପହଞ୍ଚତ୍ଛି। ଏହି ତାଲିକା ଅନୁସାରେ ବିଶ୍ବର ୧ନମ୍ବର ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ମୋଟ ସମ୍ପତ୍ତି ପରିମାଣ ୨୨୨ ବିଲିୟନ ଡଲାରକୁ ବୃଦ୍ଧି ପାଇଥିବା ବେଳେ ଆମାଜନ ପ୍ରତିଷ୍ଠାତା ଜେଫ୍ ବୋଜେସଙ୍କ ସମ୍ପତ୍ତିର ପରିମାଣ ପ୍ରାୟ ୧୯୦ ବିଲିୟନ ଡଲାର ସହ ୨ୟ ସ୍ଥାନରେ ରହିଛନ୍ତି। ସେହିଭଳି ବର୍ନାର୍ଡ ଆର୍ନଲ୍ଟ ଓ ବିଲ୍ ଗେଟ୍ସଙ୍କ ସମ୍ପତ୍ତି ପରିମାଣ ଯଥାକ୍ରମେ ୧୫୫.୬ ଓ ୧୨୭ ବିଲିୟନ ଡଲାର ରହିଛି।
ବଜାର କାରବାରର ଶେଷ ଦିନ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଶେୟାର ୯୮.୭୦ ପଏଣ୍ଟ ଅର୍ଥାତ୍ ୩.୮୪% ଅଭିବୃଦ୍ଧି ସହ ୨୬୭୦.୮୫ ପଏଣ୍ଟରେ ବନ୍ଦ ହୋଇଥିଲା। ଫଳରେ କମ୍ପାନୀର ମାର୍କେଟ କ୍ୟାପ୍ ୧୬,୯୩,୧୭୦.୧୭ ପଏଣ୍ଟରେ ପହଞ୍ଚତ୍ଛି। ସେହିପରି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ)ରେ କମ୍ପାନୀର ଶେୟାର ୯୬.୮୦ ଅର୍ଥାତ୍ ୩.୭୬% ଅଭିବୃଦ୍ଧି ସହ ପ୍ରତି ଶେୟାର ପିଛା ଦର ୨,୬୬୯.୨୦ ପଇସାରେ ବନ୍ଦ ହୋଇଛି। ଏଥିରୁ ଆଗାମୀ ସପ୍ତାହ ସୁଦ୍ଧା ରିଲାଏନ୍ସର ମାର୍କେଟ କ୍ୟାପିଟାଲ ୧୭ ଲକ୍ଷ କୋଟି ସ୍ତରକୁ ଛୁଇଁବା ଆକଳନ କରାଯାଉଛି।
ଫୋର୍ବସ ମଧ୍ୟ ଭାରତର ଧନୀ ବ୍ୟକ୍ତଙ୍କ ତାଲିକା ଜାରି କରିଥିଲା। ୨୦୨୧ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କ୍ରମାଗତ ୧୪ ବର୍ଷ ହେବ ଦେଶର ଶୀର୍ଷ ଧନୀବ୍ୟକ୍ତି ଭାବେ ଗଣାଯାଉଥିବା ଫୋର୍ବସ ତା’ର ସୂଚୀରେ ପ୍ରକାଶ କରିଥିଲା।