Categories: ଫୁରସତ

ପାକିସ୍ତାନର ଅମ୍ବାନୀ

ଇସଲାମାବାଦ : ଭାରତର ପଡ଼ୋଶୀ ଦେଶ ବର୍ତ୍ତମାନ ପାକିସ୍ତାନ ଅର୍ଥନୈତିକ ଅଚଳାବସ୍ଥା ଦେଇ ଗତି କରୁଛି। ସେଠାରେ ପ୍ରତିଟି ଜିନିଷର ଦର ଆକାଶଛୁଆଁ ହୋଇଛି। ହେଲେ ପାକିସ୍ତାନର ଅଚଳାବସ୍ଥା ସମୟରେ କିଛି ଲୋକ ଏଭଳି ଅଛନ୍ତି ଯାହାଙ୍କ ସମ୍ପତ୍ତି ଲଗାତର ବୃଦ୍ଧି ପାଉଛି। ସେମାନଙ୍କ ମଧ୍ୟରେ ଜଣେ କୋଟିପତି ଅଛନ୍ତି ଯାହାଙ୍କୁ ‘ପାକିସ୍ତାନର ଅମ୍ବାନୀ’ କୁହାଯାଏ। ପାକିସ୍ତାନର ଏହି କୋଟିପତି ଆମେରିକାରେ ରୁହନ୍ତି। ହେଲେ ସେ ନିଜ ଦେଶରେ ସମାଜସେବା କାମ କରୁଛନ୍ତି। ତାଙ୍କ ସମ୍ପତ୍ତି ଅନେକ ଭାରତୀୟ କୋଟିପତିଙ୍କଠାରୁ ମଧ୍ୟ ଅଧିକ। ନିକଟରେ ତାଙ୍କ ଝିଅ ସନ୍ନା ଖାନ୍‌ ନିଜର ୧୨୩ କୋଟି ଟଙ୍କାର ସମ୍ପତ୍ତି ଦାନ କରି ଚର୍ଚ୍ଚାକୁ ଆସିଥିଲେ।
ଆମେରିକାରେ ପାକିସ୍ତାନୀ ବଂଶୋଦ୍ଭବ ସବୁଠାରୁ ଧନୀ କୁହାଯାଉଥିବା ଏହି ବ୍ୟକ୍ତିଙ୍କ ନାମ ହେଉଛି ଶାହିଦ ଖାନ୍‌। ତାଙ୍କୁ ସ୍ପୋଟ୍ସ ଟାଇକୁନ ମଧ୍ୟ କୁହାଯାଏ। ଆମେରିକାର ଲୋକପ୍ରିୟ ମୋଟର ସାଇକେଲ ସପ୍ଲାୟର କମ୍ପାନୀ ଫ୍ଲେକ୍ସ-ଏନ-ଗେଟ୍ରର ସେ ମାଲିକ। ଏହାଛଡ଼ା ନ୍ୟାଶନାଲ ଫୁଟବଲ ଲିଗ୍‌ ଟିମ୍‌ ଜ୍ୟାକ୍ସନଭିଲେ ଜାଗୁଆର୍ସ, ପ୍ରିମିୟର ଲିଗ୍‌ର ଫୁଟବଲ କ୍ଲବ୍‌ ଫୁଲ୍‌ହାମ ଏଫ୍‌ସି ଏବଂ ରେସଲିଂ ଟିମ୍‌ ଏଲିଟ ରେସଲିଂର ମଧ୍ୟ ସେ ମାଲିକ । ଏହାଛଡ଼ା ସେ ଅନେକ ଗଣମାଧ୍ୟମ କମ୍ପାନୀରେ ମଧ୍ୟ ଟଙ୍କା ନିବେଶ କରିଛନ୍ତି।
୧୯୫୦ ଜୁଲାଇ ୧୮ରେ ଶାହିଦଙ୍କ ଜନ୍ମ ଲାହୋରରେ ହୋଇଥିଲା। ସେ ୨୦୧୨ରେ ଫୋବ୍ସ ପତ୍ରିକାର ଫ୍ରଣ୍ଟ କଭରରେ ନଜର ଆସିଥିଲେ। ୨୦୨୧ରେ ଫୋବ୍ସର ଧନୀ ବ୍ୟବସାୟୀ ତାଲିକାରେ ସେ ୯୪ତମ ସ୍ଥାନରେ ଏବଂ ବିଶ୍ୱର ଧନୀ ବ୍ୟବସାୟୀ ତାଲିକାରେ ୨୯୧ ନମ୍ବର ସ୍ଥାନରେ ରହିଥିଲେ। ଏବେ ତାଙ୍କର ମୋଟ ସମ୍ପତ୍ତି ୧ ଲକ୍ଷ କୋଟି ବୋଲି ଜଣାପଡ଼ିଛି।

Share