Categories: ଖେଳ

ସନ୍ୟାସ ନେଇ କଲେ ଟୁଇଟ୍‌, ପୁଣି କଲେ ଡିଲିଟ୍‌

ମୁମ୍ବାଇ,୧୪।୫: ଚେନ୍ନାଇ ସୁପର କିଙ୍ଗ୍ସର ତାରକା ଖେଳାଳି ଅମ୍ବାତି ରାୟୁଡ଼ୁ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରୁ ସନ୍ୟାସ ଘୋଷଣା କରି ସମସ୍ତଙ୍କୁ ଚମକାଇଛନ୍ତି। ୨୦୨୨ ତାଙ୍କର ଶେଷ ସିଜନ ହେବ ବୋଲି ସେ ଟୁଇଟ୍‌ କରି ଜଣାଇଥିଲେ। ହେଲେ କିଛି ସମୟ ପରେ ରାୟୁଡ଼ୁ ନିଜର ଟୁଇଟ୍‌କୁ ଡିଲିଟ୍‌ କରିଦେଇ ଚର୍ଚ୍ଚାରେ ଅଛନ୍ତି।

ଟୁଇଟ୍‌ କରି ରାୟୁଡ଼ୁ ଲେଖିଥିଲେ, ‘ଖୁସିରେ ଏହା ଘୋଷଣା କରୁଛି ଯେ ଚଳିତ ଆଇପିଏଲ୍‌ ସିଜନ ମୋର ଶେଷ ସିଜନ ହେବ। ଟୁର୍ନାମେଣ୍ଟରେ ଖେଳିବା ଭଲ ସାବ୍ୟସ୍ତ ହୋଇଛି। ୧୩ ବର୍ଷ ଧରି ଦୁଇ ବଡ଼ ଟିମ୍‌ର ଅଂଶ ଥିଲି। ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳିବାର ଯାତ୍ରା ବେଶ ଭଲ ଥିଲା। ଏଥିପାଇଁ ଧନ୍ୟବାଦ।‘ ପରେ ରାୟୁଡ଼ୁ ଏହି ଟୁଇଟ୍‌କୁ ଡିଲିଟ୍‌ କରିଦେଇଛନ୍ତି। ଏପରିକି ଚେନ୍ନାଇ ଟିମ୍‌ର ସିଇଓ କାଶୀ ବିଶ୍ୱନାଥ ଏହି ଖବରକୁ ଭୁଲ ବୋଲି କହିବା ସହ ରାୟୁଡ଼ୁ ଟୁଇଟ୍‌କୁ ଡିଲିଟ୍‌ କରିଛନ୍ତି। ସେ ସନ୍ୟାସ ନେବେ ନାହିଁ ବୋଲି ବିଶ୍ୱନାଥ କହିଛନ୍ତି।

ପୂର୍ବରୁ ରାୟୁଡ଼ୁଙ୍କୁ ୨୦୧୯ ବିଶ୍ୱକପ୍‌ ଦଳରେ ଭାରତୀୟ ଟିମ୍‌ରେ ସ୍ଥାନ ମିଳି ନ ଥିଲା। ଷ୍ଟାଣ୍ଡବାଇ ଖେଳାଳି ଭାବେ ତାଙ୍କ ନାମ ସାମିଲ ଥିବାରୁ ସେ ଖପ୍ପା ହୋଇ ୨୦୧୯ ଜୁଲାଇରେ କ୍ରିକେଟର ତିନୋଟି ଯାକ ଫର୍ମାଟରୁ ସନ୍ୟାସ ଘୋଷଣା କରିଥିଲେ। ମାତ୍ର ଦୁଇ ମାସ ପରେ ସେ ସନ୍ୟାସ ନିଷ୍ପତ୍ତିରୁ ଓହରିଯାଇ ହାଇଦ୍ରାବାଦ କ୍ରିକେଟ ଆସୋସିଏଶନକୁ ଇମେଲ ପଠାଇ ପୁଣିଥରେ କ୍ରିକେଟ ଖେଳିବାକୁ ଚାହୁଁଥିବା ପ୍ରକାଶ କରିଥିଲେ।

ତେବେ ୩୬ ବର୍ଷୀୟ ରାୟୁଡ଼ୁ ଏଯାବତ ଆଇପିଏଲ୍‌ରେ ମୋଟ ୧୮୭ ମ୍ୟାଚ୍‌ ଖେଳିଛନ୍ତି। ସେ ଏଥିରେ ୩୨୯୦ ରନ୍‌ କରିଛନ୍ତି। ଆଇପିଏଲ୍‌ରେ ସେ ୨୨ ଅର୍ଦ୍ଧଶତକ ମାରିଥିବା ବେଳେ ୧୦୦ ତାଙ୍କର ବେଷ୍ଟ ସ୍କୋର ରହିଛି। ଚଳିତ ସିଜନରେ ସେ ୧୨ ମ୍ୟାଚ୍‌ ଖେଳି ୨୭୧ ରନ୍‌ କରିଛନ୍ତି।

Share