Categories: ଖେଳ

କୋହଲିଙ୍କୁ ଟାର୍ଗେଟ କଲେ ରାୟୁଡୁ

ନୂଆଦିଲ୍ଲୀ,୨୪।୫: ଚେନ୍ନାଇ ସୁପର କିଙ୍ଗ୍ସ ଏକ ରୋମାଞ୍ଚକ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁଠାରୁ ପରାଜିତ ହୋଇ ପ୍ଲେଅଫ୍‌ରୁ ବାଦ୍‌ ପଡ଼ିଥିଲା। ଏହା ଦେଖି କମେଣ୍ଟ୍ରି କରୁଥିବା ପୂର୍ବତନ ସିଏସ୍‌କେ କ୍ରିକେଟର ଅମ୍ବତି ରାୟୁଡ଼ୁ କାନ୍ଦି ପକାଇଥିଲେ। ଏହାପରଠାରୁ ସେ ଲଗାତାର ଭାବେ ଆର୍‌ସିବି ଏବଂ ବିରାଟ କୋହଲିଙ୍କୁ ନେଇ ଟିପ୍ପଣୀ ଦେଉଛନ୍ତି। ପୁଣିଥରେ ସେ କୋହଲିଙ୍କ ନାମ ନନେଇ ତାଙ୍କୁ ଟାର୍ଗେଟ କରିଛନ୍ତି। ଏହାଛଡ଼ା ସେ ଆଗାମୀ ସିଜନରେ ଆର୍‌ସିବି ପାଇଁ ଟ୍ରଫି ଜିତିବାର ପଦ୍ଧତି ବିଷୟରେ କହିଛନ୍ତି।

ସୋସିଆଲ ମିଡିଆରେ ପୋଷ୍ଟ କରି ରାୟୁଡୁ କହିଛନ୍ତି, ବାଙ୍ଗାଲୋର ପ୍ରଶଂସକଙ୍କ ପାଇଁ ଖରାପ ଲାଗୁଛି, କାରଣ ସେ ବର୍ଷ ବର୍ଷ ଧରି ଫ୍ରାଞ୍ଚାଇଜ୍‌କୁ ସମର୍ଥନ ଦେଉଛନ୍ତି। ହେଲେ ତାଙ୍କୁ ଗୋଟିଏ ଟ୍ରଫି ମିଳୁନାହିଁ। ଯଦି ମ୍ୟାନେଜମେଣ୍ଟ ଏବଂ ବଡ଼ ଖେଳାଳିମାନେ ବ୍ୟକ୍ତିଗତ ମାଇଲଷ୍ଟୋନରୁ ଉପରକୁ ଯାଇ ଦଳର ହିତକୁ ଆଗରେ ରଖନ୍ତି ତେବେ ଆର୍‌ସିବି ଏଯାଏ ଅନେକ ଟ୍ରଫି ଜିତି ସାରିଥାନ୍ତା। କେବଳ ସେହି ଖେଳାଳି ଦଳକୁ ଟ୍ରଫି ଜିତାଇପାରିବ ଯିଏ ନିଜକୁ ପରେ ଏବଂ ଦଳକୁ ପ୍ରଥମେ ରଖିବ। ଫ୍ରାଞ୍ଚାଇଜ ଭଲ ଖେଳାଳିଙ୍କୁ ବାଦ ଦେଇ ଆସିଛି। ଏବେ ମେଗା ଅକ୍ସନ ହେଲେ ପ୍ରଶଂସକ ମ୍ୟାନେଜମେଣ୍ଟ ଉପରେ ଚାପ ପକାଇ ନୂଆ ଅଧ୍ୟାୟ ଆରମ୍ଭ କରିପାରନ୍ତି ବୋଲି ସେ କହିଛନ୍ତି।

ତେବେ ରାୟୁଡୁ କୌଣସି ସ୍ଥାନରେ ବିରାଟ କୋହଲିଙ୍କ ନାଁ ନ ନେଇଥିଲେ ବି ତାଙ୍କ କଥାରୁ ତାଙ୍କର କଟାକ୍ଷ କୋହଲିଙ୍କ ପାଇଁ ସ୍ପଷ୍ଟ ହେଉଛି। କାରଣ ସେ ୧୦ ବର୍ଷ ଯାଏ ଦଳର ଅଧିନାୟକ ଥିଲେ। ଏହି ସମୟରେ ସେ ଅଧିକ ରନ୍‌ କରି ଦଳକୁ ଫାଇନାଲ ପର୍ଯ୍ୟନ୍ତ ନେଇଥିଲେ। ହେଲେ ଟ୍ରଫି ଜିତିବାରେ ସଫଳ ହୋଇ ନ ଥିଲେ।

Share