ଅମରାବତୀ,୬।୧: ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡ଼ୁ ଡିସେମ୍ବର ୨୮ରେ ବଡ଼ ନିଷ୍ପତ୍ତି ନେଇଥିଲେ। ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରି ସେ ରାଜନୀତିରେ ପାଦ ରଖିବେ ବୋଲି କହିଥିଲେ। ସେ ଆନ୍ଧ୍ରପ୍ରଦେଶର ଶାସକ ଦଳ ଓ୍ବାଇଏସ୍ଆର୍ କଂଗ୍ରେସ ପାର୍ଟିରେ ମଧ୍ୟ ଯୋଗଦେଇଥିଲେ। ହେଲେ ମାତ୍ର ୯ ଦିନ ପରେ ରାୟୁଡ଼ୁ ଶନିବାର ହଠାତ ଦଳରୁ ଇସ୍ତଫା ଦେଇଛନ୍ତି।
ରାଜନୀତିରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିବା ନେଇ ରାୟୁଡ଼ୁ ସୋସିଆଲ ମିଡିଆରେ ପୋଷ୍ଟ ଲେଖି ଜଣାଇଛନ୍ତି। ଏକ୍ସରେ ସେ ଲେଖିଛନ୍ତି, ‘ମୁଁ ଓ୍ବାଇଏସ୍ଆର୍ କଂଗ୍ରେସ ପାର୍ଟି ଛାଡ଼ିବାକୁ ନିଷ୍ପତ୍ତି ନେଇଛି। କିଛି ଦିନ ଯାଏ ରାଜନୀତିରୁ ଦୂରରେ ରହିବାକୁ ଚାହୁଁଛି। ଆଗାମୀ ଦିନରେ କିଛି ନୂଆ କଲେ ଅପ୍ଡେଟ୍ ଦେବି। ’
କହିରଖୁଛୁ, ରାୟୁଡୁ ଗତ ବର୍ଷ ଆଇପିଏଲ୍ ପରେ ଭାରତୀୟ କ୍ରିକେଟରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଥିଲେ। ସେ ନିଜର ଦମଦାର ବ୍ୟାଟିଂ ଯୋଗେ ଚେନ୍ନାଇ ସୁପର କିଙ୍ଗ୍ସକୁ ଚାମ୍ପିୟନ କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଫାଇନାଲରେ ମଧ୍ୟ ସେ ଲଢ଼ୁଆ ବ୍ୟାଟିଂ କରିଥିଲେ। ହେଲେ ଜାତୀୟ ଦଳରୁ ସେ ବାହାରେ ରହୁଥିବାରୁ ସେ ୨୦୧୯ରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହି ଆଇପିଏଲ୍ ଖେଳୁଥିଲେ। ସେଠାରୁ ସନ୍ନ୍ୟାସ ନେବା ପରେ ରାଜନୀତିକୁ ଆସି ନିର୍ବାଚନ ଲଢ଼ିବେ ବୋଲି ଅନୁମାନ କରାଯାଉଥିଲା। ଡିସେମ୍ବର ୨୮ରେ ତାହା ସତ ହୋଇଥିଲା। ହେଲେ ସେ କିଛି ଦିନ ମଧ୍ୟରେ ରାଜନୀତିରୁ ଦୂରରେ ରହିବା ନିଷ୍ପତ୍ତି ନେବା ସମସ୍ତଙ୍କୁ ଚକିତ କରିଛି।