Categories: ଜାତୀୟ

ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

ଚେନ୍ନାଇ,୧୨।୧୨: ତାମିଲନାଡୁର ସାଲେମ ଜିଲାରେ ଶନିବାର ବିଳମ୍ବିତ ରାତିରେ ସମ୍ବିଧାନ ପ୍ରଣେତା ବି.ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି କିଛି ଦୁର୍ବୃତ୍ତ ଭାଙ୍ଗିଦେଇଛନ୍ତି। ଓମାଲୁର ସହରର କମଲାପୁରାମ କଲୋନୀରେ ଏହି ଘଟଣା ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଆମ୍ବେଦକରଙ୍କ ଡାହାଣ ହାତ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକ ସାଲେମ-ବେଙ୍ଗାଲୁରୁ ଜାତୀୟ ରାଜପଥରେ ଏହି ପ୍ରତିବାଦ କରିବା ସହ ରାସ୍ତାରୋକୋ କରିଥିଲା। ଫଳରେ ପ୍ରାୟ ଅଧ ଘଣ୍ଟାଏ ଧରି ଟ୍ରାଫିକ ସମସ୍ୟା ଉପୁଜିଥିଲା। ମୂର୍ତ୍ତି ଭାଙ୍ଗିଥିବା ଦୁର୍ବୃତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରିଛି।

Share