ଆନନ୍ଦପୁର,୧୬।୫(ସ୍ବ.ପ୍ର.): ଅଙ୍ଗନବାଡି କେନ୍ଦ୍ରକୁ ଆସିଥିବା ଶିଶୁଟିଏ କୋଳି ଖାଇବା ସମୟରେ ତଣ୍ଟିରେ କୋଳିମଞ୍ଜି ଲାଗିଯିବାରୁ ଶ୍ୱାସରୁଦ୍ଧ ହୋଇ ଜୀବନ ଚାଲିଯିବା ଭଳି ଘଟଣା ହୃଦବିଦାରକ ହୋଇଛି। ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ତିଗିରିଆ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସୌମ୍ୟରଞ୍ଜନ ଜେନାଙ୍କ ପୁଅ ମଙ୍ଗଳବାର ସକାଳ ସମୟରେ ଅଙ୍ଗନବାଡି କେନ୍ଦ୍ରକୁ ପଢିବାକୁ ଆସିଥିଲେ। ଅଙ୍ଗନବାଡି କେନ୍ଦ୍ରରେ ଥିବା ଏକ ଅଁଳା କୋଳି ଗଛରୁ ଗୋଟିଏ କୋଳି ଖାଇବା ପରେ ଶିଶୁଟିର ତଣ୍ଟିରେ ଲାଗିଯାଇଥିଲା। ଗୁରୁତର ଅବସ୍ଥାରେ ଶିଶୁକୁ ଆନନ୍ଦପୁର ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିବା ମୃତକଙ୍କ ସର୍ମ୍ପକୀୟ ବ୍ରଜ କିଶୋର ଜେନାଙ୍କ ଠାରୁ ସୂଚନା ମିଳିଛି।