ଏସ୍‌ସିବିରେ ଅମ୍ବୋଦର ପାଇଲେ ନୂଆ ଜୀବନ

କଟକ,୨୦।୩(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଏସ୍‌ସିବି ମେଡିକାଲର କାର୍ଡିଆଥେରିକ୍‌ ଭାସ୍କୁଲାର ସର୍ଜରି ବିଭାଗରେ ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳର ଅମ୍ବୋଦର ମାରାଣ୍ଡି ନୂଆ ଜୀବନ ପାଇଛନ୍ତି। ରବିବାର ସନ୍ଧ୍ୟାରେ ସେ ମହୁଲ ତୋଳିବା ପାଇଁ ଗଛରେ ଚଢିଥିଲେ। ହଠାତ୍‌ ଗଛର ଡାଳ ଭାଙ୍ଗି ପଡିବାରୁ ସେ ତଳେ ପଡିଯାଇଥିଲେ। ଏହି ସମୟରେ ତାଙ୍କ ପିଠିରେ ଗଛ ଡାଳର କିଛି ଅଂଶ ପଶିଯାଇଥିଲା। ଚିକିତ୍ସା ଲାଗି ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ସୋମବାର ଅପରାହ୍ନରେ ତାଙ୍କୁ ଏସ୍‌ସିବି ମେଡିକାଲ କାଜୁଆଲ୍‌ଟିରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ହୃଦ୍‌ରୋଗ ବିଭାଗକୁ ସ୍ଥାନାନ୍ତର କରାଯାଇ ସମସ୍ତ ପରୀକ୍ଷା କରାଯାଇଥିଲା। ପରେ ତାଙ୍କର ଅସ୍ତ୍ରୋପଚାର ପାଇଁ ମେଡିକାଲ ପକ୍ଷରୁ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଗଠନ କରାଯାଇଥିଲା। ରାତି ୯ଟାରୁ ୨ଟା ପର୍ଯ୍ୟନ୍ତ ପ୍ରାୟ ୫ଘଣ୍ଟା ଧରି ଡାକ୍ତରମାନେ ଅସ୍ତ୍ରୋପଚାର କରିଥିଲେ। କାର୍ଡିଆଥେରିକ୍‌ ଭାସ୍କୁଲାର ସର୍ଜରିି ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ମନୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ଆନାସ୍ଥେସିଆ, ୟୁରୋଲୋଜି, ଜେନାରଲ ସର୍ଜନ, ହୃଦ୍‌ରୋଗ ବିଭାଗର ଡାକ୍ତର ଏହି ଅସ୍ତ୍ରୋପଚାରରେ ସାମିଲ ହୋଇଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି। ପ୍ରଫେସର ପଟ୍ଟନାୟକ କହିଛନ୍ତି, ଏହି ଅସ୍ତ୍ରୋପଚାର ଆମ ପାଇଁ ଚ୍ୟାଲେଞ୍ଜିଂ ଥିଲା। ଗଛ ଡାଳ ପଶିବା ଯୋଗୁ ସଂକ୍ରମଣ ହେବାର ସମ୍ଭାବନା ଥିଲା। ଅସ୍ତ୍ରୋପଚାର ମାଧ୍ୟମରେ ଅମ୍ବୋଦରଙ୍କ ପିଠିରୁ ଗଛ ଡାଳର କିଛି ଅଂଶ ବାହାର କରାଯାଇଛି। ଏବେ ସେ ବିପଦମୁକ୍ତ ଅଛନ୍ତି। ଅପରପକ୍ଷରେ ଏସ୍‌ସିବି ମେଡିକାଲର ପ୍ରଶାସନିକ ଅଧିକାରୀ ଡ. ଅବିନାଶ ରାଉତ କହିଛନ୍ତି, ଏଭଳି କେସ୍‌ ମେଡିକାଲକୁ କ୍ୱଚିତ୍‌ ଆସିଥାଏ। ଡାକ୍ତରମାନେ ସଫଳ ଭାବେ ଅସ୍ତ୍ରୋପଚାର କରିଛନ୍ତି।

Share