ଟଙ୍କା ନ ଦେବାରୁ କରୋନା ରୋଗୀଙ୍କୁ ଓହ୍ଲାଇ ଦେଲା ଆମ୍ବୁଲାନ୍ସ

କୋଲକାତା,୨୬।୭: ସାରା ଦେଶରେ କରୋନା ରୋଗୀ ଓ ଆମ୍ବୁଲାନ୍ସକୁ ନେଇ ଭିନ୍ନ ଭିନ୍ନ ଖବର ଆସୁଥିବା ବେଳେ ଏବେ କୋଲକାତାରୁ ଆସିଥିବା ଏକ ଖବର ପୁଣି ଚର୍ଚ୍ଚାକୁ ଆସିଛି। ସେଠାରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଚାଇଲ୍‌ଡ ହେଲ୍‌ଥରେ ଜଣେ ୯ ମାସର ଓ ଅନ୍ୟଜଣେ ସାଢେ ୯ ବର୍ଷର ଶିଶୁଙ୍କ ଚିକିତ୍ସା ଚାଲୁଥିଲା। ଏହି ସମୟରେ ସେମାନଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କ ପିତା ପିଲାମାନଙ୍କୁ ସରକାରୀ ହସ୍ପିଟାଲ ନେଇଯିବାକୁ ଚାହିଁଥିଲେ। ସେଠାରୁ ସରକାରୀ ହସ୍ପିଟାଲ ମାତ୍ର ୬ କିଲୋମିଟର ହୋଇଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର କିନ୍ତୁ ଏଥିପାଇଁ ତାଙ୍କୁ ୯,୨୦୦ ଟଙ୍କା ମାଗିଥିଲେ। ଏତେ ଟଙ୍କା ଦେଇ ପାରିବାକୁ ସକ୍ଷମ ନ ଥିବା କହିଥିଲେ ଶିଶୁଙ୍କ ପିତା। ଏହାପରେ ଡ୍ରାଇଭର ୯ ମାସର ପିଲାଠାରୁ ଅକ୍ସିଜେନ ସପୋର୍ଟ କାଢିଦେବା ସହ ତଳକୁ ଓହ୍ଲାଇ ଦେଇଥିଲେ। ତେବେ ସେଠାରେ ଥିବା ଡାକ୍ତରଙ୍କ ହସ୍ତକ୍ଷେପ ପରେ ୨ହଜାର ଟଙ୍କାରେ ରାଜି ହୋଇ ଡ୍ରାଇଭର ଜଣକ କରୋନା ପୀଡ଼ିତ ଶିଶୁଙ୍କୁ ସରକାରୀ ହସ୍ପିଟାଲରେ ପହଞ୍ଚାଇଥିବା ସୂଚନା ରହିଛି।

Share