୧୯ ବର୍ଷୀୟା କରୋନା ପୀଡ଼ିତାଙ୍କୁ ବଳାତ୍କାର କଲେ ଆମ୍ବୁଲାନ୍ସ ଡ୍ରାଇଭର

ଥିରୁଭାନନ୍ତପୁରମ,୬।୯: କେରଳର ପାତନମଥିତ ଜିଲାର ଅରାନମୁଲାରେ ଜଣେ ୧୯ ବର୍ଷୀୟା କରୋନା ସଂକ୍ରମିତ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲରେ କେରଳ ପୋଲିସ ଆମ୍ବୁଲାନ୍ସ ଡ୍ରାଇଭର ନୌଫାଲ(୨୫)ଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ପାଥଲମରେ ଜଣେ ୧୯ ବର୍ଷୀୟା ଯୁବତୀ ତାଙ୍କ ସମ୍ପର୍କୀୟଙ୍କ ଘରେ ହୋମ କ୍ୱାରାଣ୍ଟାଇନରେ ଥିବା ବେଳେ ଗତ ଶନିବାର ସେ କରୋନା ପଜିଟିଭ ଥିବା ଜଣାପଡିଥିଲା। ଏହାପରେ ଉକ୍ତ ଅଞ୍ଚଳର ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ଯୁବତୀଙ୍କ ସହ ଅନ୍ୟ ଜଣେ ମହିଳା ଯେ କି କରୋନା ସଂକ୍ରମିତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭିନ୍ନ ଭିନ୍ନ କରୋନା କେୟାର ସେଣ୍ଟରକୁ ପଠାଇଥିଲେ। ପ୍ରଥମେ ମହିଳା ଜଣଙ୍କୁ ଆମ୍ବୁଲାନ୍ସ ଡ୍ରାଇଭର ଗୋଟିଏ କରୋନା କେୟାର ସେଣ୍ଟରରେ ଓହ୍ଲାଇଦେବା ପରେ ୧୯ ବର୍ଷୀୟ ଯୁବତୀଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ବଳାତ୍କାର କରିଥିଲେ। ମଧ୍ୟରାତ୍ରୀ ସୁଦ୍ଧା ଯୁବତୀ ଜଣଙ୍କୁ ଆମ୍ବୁଲାନ୍ସ ଡ୍ରାଇଭର କରୋନା କେୟାର ସେଣ୍ଟରରେ ପହଞ୍ଚାଇବା ପରେ ଯୁବତୀଙ୍କ ଅଭିଯୋଗ କ୍ରମେ ପୋଲିସ ଆମ୍ବୁଲାନ୍ସ ଡ୍ରାଇଭର ନୌଫାଲଙ୍କୁ ଗିରଫ କରିଥିବା ସୂଚନା ଦେଇଛି। ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ କେରଳର ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ଉକ୍ତ ଡ୍ରାଇଭଙ୍କୁ ଚାକିରିରୁ ନିଲମ୍ବିତ କରିବା ସହ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Share