କେନ୍ଦୁଝର,୧୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଜୀବନରେଖା (ଲାଇଫ୍ ଲାଇନ୍) କୁହାଯାଉଥିବା ଜାତୀୟ ରାଜପଥ ୨୦ ଏବେ ପାଲଟିଛି (ଡେଥ୍ ଲାଇନ) ମୃତ୍ୟୁରେଖା। ମଙ୍ଗଳବାର ବିଳମ୍ବିତ ରାତିରେ ଘଟଗାଁ ଥାନା ପିପିଳିଆ ନିକଟରେ ଏହି ଜାତୀୟ ରାଜପଥରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀଙ୍କୁ ଛାଡ଼ି ଫେରୁଥିବା ସମୟରେ ଏକ ଆମ୍ବୁଲାନ୍ସ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛରେ ଧକା ଦେଇଥିଲା। ଫଳରେ ଆମ୍ବୁଲାନ୍ସଟି ସମ୍ପୂର୍ଣ୍ଣ ଭାବରେ ଚୂରମାର ହୋଇଯାଇଛି।
ଆମ୍ବୁଲାନ୍ସରେ ଥିବା ୩ ଜଣ କର୍ମଚାରୀ ଗୁରୁତର ହୋଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତେବେ ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ମୃତାହତ ହେଉଥିବାରୁ ଲୋକମାନେ ଯାତାୟାତ କରିବାକୁ ସୁରକ୍ଷିତ ମଣୁନାହାନ୍ତି। ତ୍ରୁଟିପୂର୍ଣ୍ଣ ରାସ୍ତା, ରାସ୍ତା ଉପରେ ବିଭିନ୍ନ ସ୍ଥାନରେ ବେଆଇନ ପାର୍କିଂ, ବେପରୁଆ ଗାଡ଼ିଚାଳନା ଓ ଉପଯୁକ୍ତ ତଦାରଖ ଅଭାବରୁ ଏଭଳି ଦୁର୍ଘଟଣା ଘଟୁଥିବା କୁହାଯାଉଛି।