ପହଞ୍ଚିଲାନି ଆମ୍ବୁଲାନ୍ସ୍‌ ଅନ୍ତିମ ସଂସ୍କାର ପାଇଁ ଟ୍ରଲିରେ ଗଲା ମୃତଦେହ

ଚେନ୍ନାଇ,୨।୮: ଦେଶରେ କରୋନା ମହାମାରୀ ଆତଙ୍କଯୋଗୁ ଠିକ୍‌ ସମୟରେ ସମସ୍ତଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟ ସେବା ଯୋଗାଇବା ସମ୍ଭବ ହୋଇ ପାରୁନି। କେଉଁଠି ଆମ୍ବୁଲାନ୍ସ୍‌କୁ ଫୋନ୍‌ କରିବାର ଦିନେ ଦୁଇଦିନ ପରେ ମଧ୍ୟ ଏହା ଲୋକଙ୍କ ପାଖରେ ପହଞ୍ଚିପାରୁନି। ଏହାର ସଦ୍ୟତମ ଉଦାହରଣ ତାମିଲନାଡୁରେ ଦେଖିବାକୁ ମିଳିଛି। ସ୍ଥାନୀୟ ଥେଥି ଅଞ୍ଚଳରେ ଦୀର୍ଘଦିନ ଧରି ଅସୁସ୍ଥ ଥିବା ୭୫ ବର୍ଷ ବୟସ୍କା ବୃଦ୍ଧାଙ୍କର ନମୁନା ରିପୋର୍ଟ କିଛି ଦିନ ତଳେ କରୋନା ପଜିଟିଭ୍‌ ଆସିଥିଲା। ପରେ ଡାକ୍ତରତାଙ୍କୁ ଆଇସୋଲେଶନରେ ରଖିବାକୁ ପରାମର୍ଶ ଦେଇଥିଲେ। ପରିବାର ସଦସ୍ୟ ତାଙ୍କୁ ଘରକୁ ନେଇଆସିଥିଲେ। ତେବେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ତିମ ସଂସ୍କାର ପାଇଁ ତାଙ୍କ ପୁଅ ଆମ୍ବୁଲାନ୍ସ୍‌କୁ ଫୋନ୍‌ କରିଥିଲେ। ମାତ୍ର ୧୨ ଘଣ୍ଟା ବିତିଗଲେ ମଧ୍ୟ ଆମ୍ବୁଲାନ୍ସ୍‌ର ଦେଖା ନ ଥିଲା। ପଡ଼ୋଶୀମାନେ କରୋନା ସଂକ୍ରମଣ ଭୟରେ ଘରୁ ବାହାରକୁ ବାହାରି ନ ଥିଲେ। ଶେଷରେ ସ୍ଥାନୀୟ ଜଣେ ସଫେଇ କର୍ମଚାରୀଙ୍କ ସହାୟତାରେ ବୃଦ୍ଧାଙ୍କ ମୃତଦେହକୁ ଟ୍ରଲିରେ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନକୁ ନିଆଯାଇଥିଲା। ଏହାର ଭିଡ଼ିଓ ଏବଂ ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share