Categories: ଜାତୀୟ

ଆମ୍ବୁଲାନ୍ସ ଆସିବାକୁ ମନା କଲା, ଖଟିଆରେ ବୋହି ହସ୍ପିଟାଲ ନେବା ବାଟରେ ମୃତ୍ୟୁ, ଘେରିଲା ଭାଜପା, ଭିଡିଓ ଭାଇରାଲ…

କୋଲକାତା,୧୮।୧୧ : ପଶ୍ଚିମବଙ୍ଗର ମାଲଦାରୁ ଏକ ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି। ଜଣେ ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ହସ୍ପିଟାଲ ନେବାକୁ ଆମ୍ବୁଲାନ୍ସ ଡକାଯାଇଥିଲା, କିନ୍ତୁ ରାସ୍ତା ଖରାପ ଥିବାରୁ ଡ୍ରାଇଭର ଆସିବାକୁ ମନା କରିଦେଇଥିଲେ। ଅବସ୍ଥା ବିଗିଡି ଯିବାରୁ ମହିଳାଙ୍କ ପରିବାର ସଦସ୍ୟ ତାଙ୍କୁ ହସ୍ପିଟାଲ ନେବାକୁ ଚେଷ୍ଟା କରିଥିଲେ। କୌଣସି ଗାଡି ନ ଥିବାରୁ ସେମାନେ ମହିଳାଙ୍କୁ ଏକ ଖଟିଆରେ କାନ୍ଧରେ ବୋହି ହସ୍ପିଟାଲ ନେଇଥିଲେ, କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି,ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶାସନରେ ପଶ୍ଚିମବଙ୍ଗର ସ୍ବାସ୍ଥ୍ୟ ସେବା ଉପରେ ଲୋକମାନେ ପ୍ରଶ୍ନ ଉଠାଉଛନ୍ତି। ଭାଜପା ପକ୍ଷରୁ ମଧ୍ୟ ଟୁଇଟ କରାଯାଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମାଲଦାର ବାମନଗୋଲା ପୋଲିସ ଷ୍ଟେଶନ ଅଞ୍ଚଳର ଗୋବିନ୍ଦପୁର-ମହେଶପୁର ଗ୍ରାମ ପଞ୍ଚାୟତର ମାଲଡାଙ୍ଗା ଗ୍ରାମରେ ରହୁଥିବା ୨୬ ବର୍ଷ ବୟସ୍କା ମମନି ରାୟ  ଗତ କିଛି ଦିନ ହେବ ଅସୁସ୍ଥ ଥିଲେ। ତାଙ୍କ ଅବସ୍ଥା ବିଗିଡିଯିବା ପରେ ପରିବାର ଲୋକେ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ ମଧ୍ୟ ରାସ୍ତା ଖରାପ ବୋଲି ଡ୍ରାଇଭର ଆସିବାକୁ ମନା କରିଦେଇଥିଲେ।

ଯେତେବେଳେ ବେସରକାରୀ ଗାଡି ଡ୍ରାଇଭର ମଧ୍ୟ ଆସିବାକୁ ମନା କରିଦେଇଥିଲେ, ଚିନ୍ତିତ ପରିବାର ସଦସ୍ୟ ତାଙ୍କୁ ଏକ ଖଟିଆରେ ହସ୍ପିଟାଲନେବାକୁ ଉଦ୍ୟମ କରିଥିଲେ। ଏହି ଘଟଣାରେ ଭାଜପା ରାଜ୍ୟ ସଭାପତି ଡକ୍ଟର ସୁକାନ୍ତ ମଜୁମଦାର ଦୁଃଖ ପ୍ରକାଶ କରି କହିଛନ୍ତି ଏହା ରାଜ୍ୟରେ ଘଟିଥିବା ପ୍ରଥମ ଘଟଣା ନୁହେଁ। ରାଜ୍ୟର ସମସ୍ତ ରାସ୍ତାର ଅବସ୍ଥା ଖରାପ ରହିଛି। ଲୋକମାନେ ମରୁଛନ୍ତି। ମମତା ସରକାର ପ୍ରତ୍ୟେକ ଦିଗରେ ବିଫଳ ହୋଇଛନ୍ତି।

 

Share