ପାଟଣା,୧୩ା୧୦(ସ୍ବ.ପ୍ର.): ରୋଗୀଙ୍କୁ ବୋହିବା ପାଇଁ ଉଦ୍ଦିଷ୍ଟ ଆମ୍ବୁଲାନ୍ସ ନିଜେ ରୋଗାଗ୍ରସ୍ତ। ଠେଲିଲେ ଷ୍ଟାର୍ଟ ହେଉଛି। ରୋଗୀ ଫୋନ୍ କଲେ ଆମ୍ବୁଲାନ୍ସ ଷ୍ଟାର୍ଟ ହୋଇ ମେଡିକାଲରୁ ବାହାରିବା ପାଇଁ ଅଧାଘଣ୍ଟା ସମୟ ଲାଗିଯାଉଛି। ଏଭଳି ଶୋଚନୀୟ ସ୍ଥିତିରେ ରହିଛି କେନ୍ଦୁଝର ଜିଲା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଜନନୀ ଏକ୍ସପ୍ରେସ୍।
ସୂଚନାଯୋଗ୍ୟ, ବୁଧବାର ଜଣେ ଗର୍ଭବତୀ ଜନନୀ ଏକ୍ସପ୍ରେସ୍କୁ ଫୋନ୍ କରିଥିଲେ। ଫୋନ୍ ପରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଜନନୀ ଏକ୍ସପ୍ରେସ୍କୁ ଷ୍ଟାର୍ଟ କରିବାକୁ ଚାଳକ ଚାହିଁବାରୁ ଆମ୍ବୁଲାନ୍ସଟି ଷ୍ଟାର୍ଟ ହୋଇ ନ ଥିଲା। ୪/୫ ଜଣ କର୍ମଚାରୀ ଅଧଘଣ୍ଟାଏରୁ ଊଦ୍ଧର୍ବ ସମୟ କସରତ କରିବା ପରେ ଆମ୍ବୁଲାନ୍ସଟି ଷ୍ଟାର୍ଟ ହୋଇ ରୋଗୀଙ୍କୁ ଆଣିବା ପାଇଁ ଯିବାକୁ ସଫଳ ହୋଇଥିଲା। ଆମ୍ବୁଲାନ୍ସଟି ଅନେକ ସମୟରେ ଷ୍ଟାର୍ଟ ହେଉ ନ ଥିବା ଅଭିଯୋଗ ହେଉଥିବା ବେଳେ ମରାମତି କରାଯାଉନାହିଁ। ଏ ନେଇ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼. ଶୁଭେନ୍ଦୁ ସାଗର ନାଏକଙ୍କୁ ପଚାରିବାରୁ କୁହନ୍ତି, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆମ୍ବୁଲାନ୍ସଟି ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରଦାନ କରାଯାଇଥିଲା। ବହୁତ ଦିନ ହୋଇଯାଇଥିବାରୁ ଏହା ଖରାପ ହୋଇଗଲାଣି। ମରାମତି ପାଇଁ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଛି।