Categories: ଜାତୀୟ

ଭିଆଇପି କାର୍‌ ପାଇଁ ଅଟକିଲା ଆମ୍ବୁଲାନ୍ସ

ହାଇଦ୍ରାବାଦ,୨୬।୭: ଏକ ଭିଆଇପି କନଭେକୁ ବାଟ ଛାଡ଼ିବା ପାଇଁ ଟ୍ରାଫିକରେ ଅଟକାଇ ଦିଆଯାଇଥିଲା ଦୁଇଟି ଆମ୍ବୁଲାନ୍ସକୁ। ହାଇଦ୍ରାବାଦ୍‌ର ଏହି ଘଟଣା ଭିଡିଓ ଭାଇରାଲ ହେବା ପରେ ଟ୍ରାଫିକ ପୋଲିସ କର୍ମୀଙ୍କୁ ପ୍ରବଳ ସମାଲୋଚିତ ହେବାକୁ ପଡ଼ିଛି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ହାଇଦ୍ରାବାଦର ମାସବ ଟ୍ୟାଙ୍କ ଅଞ୍ଚଳରେ ଲମ୍ବା ଧାଡ଼ିରେ ଅନେକ ଗାଡ଼ି ଅପେକ୍ଷା କରିଛନ୍ତି। ଧାଡ଼ିରେ ଦୁଇଟି ଆମ୍ବୁଲାନ୍ସ ମଧ୍ୟ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ଭିଡିଓରେ ଆମ୍ବୁଲାନ୍ସର ସାଇରନ ମଧ୍ୟ ଶୁଣାଯାଉଛି। ଆମ୍ବୁଲାନ୍ସକୁ ବାଟ ଛାଡ଼ିବା ପାଇଁ ଦୁଇ ସ୍ବାସ୍ଥ୍ୟକର୍ମୀ କାର୍ଯ୍ୟରତ ଟ୍ରାଫିକ ପୋଲିସଙ୍କୁ କହିଥିଲେ। କିନ୍ତୁ ମନ୍ତ୍ରୀ ଆସୁଛନ୍ତି ଟିକେ ଅପେକ୍ଷା କରିବାକୁ ସେମାନଙ୍କୁ କହିଥିଲେ ଟ୍ରାଫିକ ପୋଲିସ।

ମିଳିଥିବା ସୂଚନା ମୁତାବକ, ଦୁଇ ଆମ୍ବୁଲାନ୍ସ ମହାବୀର ହସ୍ପିଟାଲରୁ ବିରିଞ୍ଚି ହସ୍ପିଟାଲ ଯାଉଥିଲେ। ତେଲେଙ୍ଗାନାର ଗୃହମନ୍ତ୍ରୀ ମହମ୍ମଦ ଅଲିଙ୍କ ପାଇଁ ଟ୍ରାଫିକ୍‌କୁ ଅଟକାଇ ଦିଆଯାଇଥିଲା। ହାଇଦ୍ରାବାଦ ଟ୍ରାଫିକ ପୋଲିସ ପକ୍ଷରୁ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି, ଟ୍ରଫିକରେ ଅଟକା ଯାଇଥିବା ଦୁଇ ଆମ୍ବୁଲାନ୍ସ ମଧ୍ୟରୁ ଗୋଟିଏରେ ରୋଗୀଙ୍କୁ ସ୍ଥାନାନ୍ତରିତ କରାଯାଉଥିଲା। ଆମ୍ବୁଲାନ୍ସ କର୍ମୀଙ୍କ ଠାରୁ ସୂଚନା ପାଇବା ପରେ ତୁରନ୍ତ ଟ୍ରାଫିକ କ୍ଲିୟର କରାଯାଇଥିଲା। ଆଉ ସ୍ଥାନାନ୍ତର କରାଯାଇଥିବା ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ଭଲ ଅଛି।

Share