ୟୁକ୍ରେନ୍‌କୁ ପୁଣି ସହାୟତାର ହାତ ବଢ଼ାଇଲା ଆମେରିକା

ଓ୍ବାଶିଂଟନ୍‌,/କ୍ୱିଭ୍‌,୨।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୩୮ଦିନରେ ପହଞ୍ଚିଛି। ୩୮ଦିନରେ ବି ରୁଷିଆ ୟୁକ୍ରେନର ଅନେକ ବଡ଼ ବଡ଼ ସହରକୁ ଧ୍ୱଂସ କରିବାରେ ଲାଗିପଡ଼ିଛି। ଏହି ଆକ୍ରମଣ ଯୋଗୁ ଅଧିକରୁ ଅଧିକ ଲୋକ ନିଜ ଦେଶ ଛାଡି ପଡ଼ୋଶୀ ଦେଶକୁ ଚାଲିଯାଉଛନ୍ତି। ଇତିମଧ୍ୟରେ ୟୁକ୍ରେନ ନିଜକୁ ରକ୍ଷା କରିବାର କ୍ଷମତାକୁ ବଢ଼ାଇବା ପାଇଁ ଆମେରିକା ପୁଣି ସହାୟତାର ହାତ ବଢ଼ାଇଛି। ଆମେରିକାର ପ୍ରତିରକ୍ଷା ବିଭାଗ ୟୁକ୍ରେନକୁ ପ୍ରାୟ ୩୦୦ ମିଲିୟନ୍‌ ଡଲାରର ସୁରକ୍ଷା ସହାୟତା ପ୍ରଦାନ କରିବ ବୋଲି ପେଣ୍ଟାଗନ ଗଣମାଧ୍ୟମ ସଚିବ ଜନ ର୍କିବି ସୂଚନା ଦେଇଛନ୍ତି। ଯେଉଁଥିରେ ଲେଜର-ଗାଇଡ୍‌ ରକେଟ ସିଷ୍ଟମ, ଡ୍ରୋନ ଏବଂ ବାଣିଜ୍ୟକ ଉପଗ୍ରହ ଚିତ୍ରଣ ସେବା ସାମିଲ ରହିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକା କ୍ରମାଗତ ଭାବେ ୟୁକ୍ରେନକୁ ସାହାଯ୍ୟ କରିଆସୁଛି। ରୁଷିଆର ଆକ୍ରମଣାତ୍ମକ ମନୋଭାବକୁ ଦୃଷ୍ଟିରେ ରଖି ଆମେରିକା ମସ୍କୋ ଉପରେ ଅନେକ ପ୍ରତିବନ୍ଧକ ଲଗାଇଛି। ଏହା ପୂର୍ବରୁ ଗତ ସପ୍ତାହରେ ବାଇଡେନ ସରକାର ୟୁକ୍ରେନକୁ ୩୫୦ ମିଲିୟନ ଡଲାର ମୂଲ୍ୟର ସାମରିକ ଉପକରଣର ଅନୁମତି ଦେଇଥିଲେ। ଯାହା ଆମେରିକାର ଇତିହାସରେ ସବୁଠାରୁ ବଡ଼ ପ୍ୟାକେଜ ବୋଲି କୁହାଯାଉଛି।

Share