ଆଫଗାନିସ୍ତାନକୁ ୪୭୦ କୋଟିର ଆର୍ଥିକ ସହାୟତା ଦେବ ଆମେରିକା

ୱାଶିଂଟନ,୧୪ ।୯: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିବା ପରେ ଏବେ ଆମେରିକା ଆଫଗାନିସ୍ତାନର ଲୋକଙ୍କୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛି । ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥାମ୍ପସନ-ଗ୍ରୀନଫିଲ୍ଡ କହିଛନ୍ତି ଆମେରିକା ଆଫଗାନିସ୍ତାନର ଜନତାଙ୍କ ପାଇଁ ୬୪ ମିଲିୟନ ଡଲାର(ପାଖାପାଖି ୪୭୦ କୋଟି ଟଙ୍କା) ମାନବିକ ସହାୟତା ଦେବାକୁ ପ୍ରସ୍ତୁତ ଅଛି । ସେ କହିଛନ୍ତି ଏବେ ଆଫଗାନିସ୍ତାନର ସ୍ଥିତି ଖରାପ ଅଛି । ତେଣୁ ଏଭଳି ସ୍ଥିତିରେ ଆମେରିକା ଆଫଗାନବାସୀଙ୍କୁ ୬୪ ମିଲିୟନ ଡଲାର ସହାୟତା ଦେବାକୁ କଥା ଦେଉଛି । ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥାମ୍ପସନ-ଗ୍ରୀନଫିଲ୍ଡ ଟୁଇଟ୍ କରି ଲେଖିଛନ୍ତି, ମୋତେ ଏହି ଘୋଷଣା କରିବା ସମୟରେ ଗର୍ବ ଲାଗୁଛି କି ଆମେରିକା ଆଫଗାନିସ୍ତାନ ଜନତାଙ୍କ ପାଇଁ ନୂଆ ମାନବିକ ସହାୟତା ପାଇଁ ୬୪ ମିଲିୟନ ଡଲାର ଦେଉଛି । ଏହି ଆର୍ଥିକ ଘୋଷଣା ଜାତିସଂଘ ଓ ଅନ୍ତରାଷ୍ଟ୍ରୀୟ ଏନ୍‌ଜିଓର କାମକୁ ସମର୍ଥନ କରିବ । ଅନ୍ୟ ଦେଶମାନେ ବି ଆଫଗାନିସ୍ତାନବାସୀଙ୍କୁ ସାହଯ୍ୟ କରନ୍ତୁ ବୋଲି ଆମେରିକା କହିଛି । ଆମେରିକା ପୂର୍ବରୁ ଜାତିସଂଘ ମୁଖ୍ୟ, ନ୍ୟୁଜିଲାଣ୍ଡ, ଚାଇନା, ଜର୍ମାନୀ ମଧ୍ୟ ଆଫଗାନିସ୍ତାନକୁ ସହାୟତା ଯୋଗାଇ ଦେବାକୁ ଘୋଷଣା କରି ସାରିଛନ୍ତି । ସୂଚନାଯୋଗ୍ୟ, ଭାରତପକ୍ଷରୁ ଏପର୍ଯ୍ୟନ୍ତ ଏପରି କୌଣସି ଘୋଷଣା କରାଯାଇ ନାହିଁ ।

Share