ଇରାନ ଦଙ୍ଗା ପଛରେ ଆମେରିକା

ତେହେରାନ୍‌, ୪ା୧୦:ହିଜାବ ନ ପିନ୍ଧିବାରୁ ଇରାନ ଧର୍ମୀୟ ବ୍ୟାପାର ପୋଲିସ ଅତ୍ୟାଚାରରେ ପ୍ରାଣ ହରାଇଥିବା ୨୨ ବର୍ଷୀୟା ମହସା ଅମିନିଙ୍କ ମୃତ୍ୟୁକୁ ନେଇ ଏହି ଦେଶ ଅଦ୍ୟାବଧି ସବୁଠୁ ବଡ଼ଧରଣର ଆନ୍ଦୋଳନ ଓ ସରକାର ବିରୋଧୀ ବିକ୍ଷୋଭ ଦେଖୁଛି। ୧୭ ଦିନ ହେଲା ଲୋକେ ଇରାନ ରାସ୍ତାରେ ଆନ୍ଦୋଳନ କରିବା ସହ ମହିଳାମାନେ ସାହସିକତାର ସହ ସେମାନଙ୍କ ଅଧିକାର ପାଇଁ ମୁହଁ ଖୋଲିଛନ୍ତି। ସେମାନେ ସର୍ବସମ୍ମୁଖରେ ହିଜାବ ଖୋଲି ଫିଙ୍ଗିବା, ସେଥିରେ ନିଆଁ ଲଗାଉଥିବାର ଭିଡିଓ ସାରା ବିଶ୍ୱ ଦେଖୁଥିବାବେଳେ ଇରାନ୍‌ରେ ମହିଳାଙ୍କ ସ୍ବାଧୀନତାକୁ ନେଇ ସେଠାକାର ସରକାର ସମାଲୋଚନାର ଶିକାର ହେଉଛନ୍ତି। ପ୍ରାୟ ୩ ସପ୍ତାହ ପରେ ଏହି ପ୍ରସଙ୍ଗରେ ନୀରବତା ଭାଙ୍ଗିଛନ୍ତି ଇରାନ୍‌ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇ। ଦେଶରେ ଆନ୍ଦୋଳନ ଉଗ୍ରହେବା ପଛରେ ଆମେରିକା ଓ ଇସ୍ରାଏଲର ହାତ ରହିଛି ବୋଲି କହିଛନ୍ତି। ଇରାନରେ ‘ଦଙ୍ଗା’ କରାଇ ଦେଶକୁ ଅଶାନ୍ତ କରିବା ପାଇଁ ଏହି ଦୁଇଦେଶ ଉଦ୍ଦେଶ୍ୟମୂଳକ ଭାବେ ଯୋଜନା ପ୍ରସ୍ତୁତ କରୁଥିବା ଖାମେନେଇ ସିଧାସଳଖ କହିଛନ୍ତି।
ସୋମବାର ଟୁଇଟ୍‌ କରି କହିଛନ୍ତି, ଇରାନରେ ଚାଲିଥିବା ଦଙ୍ଗା ଏବଂ ଅଶାନ୍ତ ବାତାବରଣ ସୃଷ୍ଟି ପଛରେ ଆମେରିକା ଓ ଇସ୍ରାଏଲର ହାତ ରହିଛି। ଏଥିପାଇଁ ସେମାନେ ବିଦେଶରେ ରହୁଥିବା କେତେଜଣ ଦେଶଦ୍ରୋହୀ ଇରାନୀୟ ନାଗରିକ ଏବଂ ଏଜେଣ୍ଟଙ୍କ ସହାୟତା ନେଉଛନ୍ତି। ମହସାଙ୍କ ମୃତ୍ୟୁ ଏକ ଦୁଃଖଦ ଘଟଣା। ଏଥିପାଇଁ ସେ ବେଶ୍‌ ଦୁଃଖିତ। ହେଲେ କିଛି ଲୋକ ବିନା କୌଣସି ପ୍ରମାଣରେ ରାସ୍ତାଘାଟକୁ ଆନ୍ଦୋଳନସ୍ଥଳୀରେ ପରିଣତ କରିଛନ୍ତି। କୋରାନ୍‌, ମସ୍‌ଜିଦ୍‌, ବ୍ୟାଙ୍କ, ଲୋକଙ୍କ କାର୍‌ ଆଦିରେ ନିଆଁ ଲଗାଯାଉଛି। ମହିଳାମାନଙ୍କ ମୁହଁରୁ ହିଜାବ ହଟାଯାଉଛି। ଏହା ସାମାନ୍ୟ କାର୍ଯ୍ୟ ନୁହେଁ। ଯୋଜନାବଦ୍ଧ ଭାବେ ଏପରି କରାଯାଉଛି। ବିଭିନ୍ନ ଦେଶରେ ଦଙ୍ଗା ହେଉଛି। ହେଲେ ଆମେରିକା କ’ଣ ତାହାକୁ କେବେ ସମର୍ଥନ ଦେଇଛି? ଦଙ୍ଗାକାରୀଙ୍କ ସହ ଆମେ ଅଛୁ ବୋଲି ଆମେରିକା ପୂର୍ବରୁ କେବେ ଘୋଷଣା କରିଛି କି? କିନ୍ତୁ ଇରାନ୍‌ରେ ଓ୍ବାଶିଂଟନ୍‌ର ଅଲଗା ଚରିତ୍ର ଦେଖିବାକୁ ମିଳିଛି। ଆମେରିକା ମିଡିଆ ମଧ୍ୟ ସେମାନଙ୍କୁ ସମର୍ଥନ ଦେଉଛି ବୋଲି ଖାମେନେଇ କହିଛନ୍ତି। ପ୍ରକାଶ ଥାଉ କି, ଇରାନରେ ହିଜାବ ବିରୋଧୀ ବିକ୍ଷୋଭରେ ପୋଲିସ କାର୍ଯ୍ୟାନୁଷ୍ଠାନରେ ଅନୂ୍ୟନ ୫୨ ଜଣଙ୍କ ମୃତ୍ୟୁ ଘଟିଲାଣି। ୧୫ଶହରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି।

ଇରାନରୁ ମୁକୁଳିଲେ ଜାତିସଂଘ ପୂର୍ବତନ ଅଧିକାରୀ

ଆମେରିକା ସରକାରଙ୍କ ସହ ଲିଙ୍କ୍‌ ରଖି ଇରାନ୍‌ ବିରୋଧରେ ଗୁପ୍ତଚରଗିରି ଅଭିଯୋଗରେ ଇରାନରେ ୬ ବର୍ଷ ଧରି ବନ୍ଦୀ ଥିବା ଜାତିସଂଘର ପୂର୍ବତନ ଅଧିକାରୀ ବାକର ନମାଜି(୮୫)ଙ୍କୁ ମୁକ୍ତ କରାଯାଇଛି। ନମାଜି ୟୁନିସେଫ୍‌ରେ ସୋମାଲିଆ, କେନିଆ ଏବଂ ଇଜିପ୍ଟ ପାଇଁ ପ୍ରତିନିଧିତ୍ୱ କରୁଥିଲେ। ମାନବିକତା ଆଧାରରେ ନମାଜିଙ୍କୁ ମୁକ୍ତ କରାଯାଇଥିବା ଇରାନ୍‌ର ନ୍ୟୁଜ୍‌ ଏଜେନ୍ସି ଆଇଆର୍‌ଏନ୍‌ଏ ପକ୍ଷରୁ କୁହାଯାଇଛି। ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ନମାଜି ତେହେରାନ୍‌ରେ ଥିବା ତାଙ୍କ ଘରେ ୪ ବର୍ଷ ହେଲା ରହିଛନ୍ତି ଏବଂ ଯେ କୌଣସି ସମୟରେ ସେ ଇରାନ ଛାଡ଼ି ଯାଇପାରିବେ ବୋଲି ତାଙ୍କୁ ଅନୁମତି ଦିଆଯାଇଥିବା ଏଥିରେ କୁହାଯାଇଛି। ସେହିପରି ୭ ବର୍ଷ ଧରି ଇରାନ୍‌ରେ ଗୃହବନ୍ଦୀ ଥିବା ନମାଜିଙ୍କ ପୁଅ ସିଆମକ୍‌ ନମାଜିଙ୍କୁ ମଧ୍ୟ ମୁକ୍ତ କରାଯାଇଛି। ଏ ନେଇ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଇରାନ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।

Share