ଓସାମା ବିନ୍‌ ଲାଡେନ୍‌ଙ୍କୁ ଶହୀଦ କହି ଫସିଲେ ଇମ୍‌ରାନ୍‌

ଲାହୋର,୨୬।୬: ଆତଙ୍କବାଦୀ ଓସାମା ବିନ୍‌ ଲାଡେନଙ୍କୁ ଶହୀଦ କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌। ସଂସଦରେ ସେ ଏଭଳି କହୁଥିବାର ଭିଡିଓ ଭାଇରାଲ ହେଉଛି। ଆମେରିକା ଆମ ଦେଶକୁ ପଶି ଆସି ଓସାମାଙ୍କୁ ହତ୍ୟା କରି ଶହୀଦ କରିଛି। ହେଲେ ଏହାକୁ ନେଇ ସବୁ ଦେଶ ଆମକୁ କଟୁ ମନ୍ତବ୍ୟ ଦେଇଥିଲେ। ଅନେକ ବର୍ଷ ଧରି ଆମକୁ ଏହା ସହିବାକୁ ପଡ଼ିଥିଲା ବୋଲି ଇମରାନ୍‌ କହିଛନ୍ତି।

ଇମରାନ୍‌ କହିଛନ୍ତି, ଆମେରିକାକୁ ପାକିସ୍ତାନ ଓ୍ବାର୍‌ ଅଫ୍‌ ଟେରରିଜିମ୍‌ରେ ସମର୍ଥନ କରିଥିଲା। ହେଲେ ଆମକୁ ଦୁର୍ବ୍ୟହାର କରାଯାଇଥିଲା। ଆଫଗାନିସ୍ତାନରେ ସଫଳତା ନ ମିଳିବା ପାଇଁ ଦେଶକୁ ଦାୟୀ କରାଗଲା। ଏହା ପାକିସ୍ତାନବାସୀଙ୍କ ପାଇଁ ଏହା ଲଜ୍ଜାଜନକ ଘଟଣା ପାଲଟିଲା। ଆମେରିକା ଏବଟାବାଦ୍‌ରେ ପଶି ଓସାମାଙ୍କୁ ହତ୍ୟା କରିଥିଲା, ଶହୀଦ କରିଥିଲା। ଏହାପରେ ଦୁନିଆ ଆମକୁ ଖରାପ କହିଥିଲା। ସେତେବେଳେ ଆମର ସହଯୋଗୀ ଆମକୁ ନ ପଚାରି ଆମ ଦେଶରେ ପଶି କାହାକୁ ମାରିଥିଲା। ତାଙ୍କ ଯୁଦ୍ଧ ପାଇଁ ୭୦ହଜାର ଲୋକଙ୍କ ମୃତ୍ୟୁ ଘଟିଲାଣି।

ତେବେ ଏଫ୍‌ଏଟିଏଫ୍‌ର ସନ୍ଦିଗ୍ଧ ଆତଙ୍କବାଦୀ ତାଲିକାରେ ସାମିଲ ଥିବା ଓସାମାଙ୍କୁ ନେଇ ଇମାରାନ୍‌ଙ୍କ ଏଭଳି ବୟାନ ଅସୁବିଧାକୁ ବଢ଼ାଇଛି। ଏହାକୁ ନେଇ ତାଙ୍କୁ ଦେଶରେ ବିରୋଧ କରାଯାଉଛି। ପିଏମ୍‌ଏଲ୍‌-ଏନ୍‌ ପାର୍ଟିର ଜଣେ ବରିଷ୍ଠ ନେତା ଖ୍ବାଜା ଆସିଫ୍‌ ତାଙ୍କ ବୟାନକୁ ନେଇ କଟାକ୍ଷ କରିଛନ୍ତି। ଲାଡେନ୍‌ ଆତଙ୍କବାଦକୁ ଦେଶରେ ସ୍ଥାପନା କରିଛନ୍ତି। ଏଣୁ ପ୍ରଧାନମନ୍ତ୍ରୀ ଭାବେ ଏପରି କହିବା ଠିକ୍‌ ହୋଇନାହିଁ ବୋଲି ସେ କହିଛନ୍ତି। ଏଥିସହ ଇମରାନ୍‌ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦ ପାଲଟିଛନ୍ତି ବୋଲି ପିପିପି ପକ୍ଷରୁ କୁହାଯାଇଛି।

Share