ଓ୍ବାଶିଂଟନ୍,୨।୪: ୟୁକ୍ରେନରେ ଜାରି ରହିଥିବା ସାମରିକ ଯୁଦ୍ଧ ମଧ୍ୟରେ ଏବଂ ରୁଷିଆ ସହିତ ପରମାଣୁ ତିକ୍ତତାକୁ କମ୍ କରିବା ପାଇଁ ଆମେରିକା ମିନିଟ୍ମ୍ୟାନ ତୃତୀୟ ଅନ୍ତମହାଦ୍ୱୀପ ବାଲାଷ୍ଟିକ୍ ମିଶାଇଲ୍(ଆଇସିବିଏମ୍) ପରୀକ୍ଷଣକୁ ବାତିଲ କରିଛି। ଶୁକ୍ରବାର ଆମେରିକାର ବାୟୁସେନା ଏନେଇ ସୂଚନା ଦେଇଛି। ବାୟୁସେନା ବିଭାଗ ଏଲ୍ଜିଏମ୍-୩୦ଜି ମିନିଟ୍ମ୍ୟାନ ତୃତୀତ ମିଶାଇଲର ନିୟମିତ ଭାବେ କରାଯାଉଥିବା ପରୀକ୍ଷଣକୁ ବାତିଲ କରାଯାଇଛି ବୋଲି ବାୟୁସେନାର ମୁଖପାତ୍ର ଏନ୍ ଷ୍ଟେଫାନ୍କ କହିଛନ୍ତି। ଏତଦ୍ ବ୍ୟତିତ ସେ କହିଛନ୍ତି, ୟୁକ୍ରେନରେ ରୁଷିଆ ପକ୍ଷରୁ ଜାରି ରହିଥିବା ଆକ୍ରମଣ ସମୟରେ ରୁଷିଆ ସହିତ ଭୁଲ ତଥ୍ୟ ପ୍ରଚାର ନ ହେବା ସହ ସତର୍କତା ଅବଲମ୍ବନ କରାଯାଇ ଏହି ପରୀକ୍ଷଣକୁ ଅଟକାଇ ଦିଆଯାଇଛି। ତେବେ ଚଳିତ ବର୍ଷ ଶେଷ ଆଡ଼କୁ ବାଲାଷ୍ଟିକ୍ ପରୀକ୍ଷଣ କରାଯିବ ବୋଲି ଷ୍ଟେଫାନ୍କ କହିଛନ୍ତି।