ଭାରତ ପ୍ରତି ଚାଇନାର ଆକ୍ରୋଶ ମନୋଭାବକୁ ସମାଲୋଚନା କଲା ଆମେରିକା

ଓ୍ବାଶିଂଟନ୍‌,୧୫।୧୨: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସାଂସଦ କଂଗ୍ରେସ ରାଜ କୃଷ୍ଣମୂର୍ତ୍ତି ଭାରତ ପ୍ରତି ଚାଇନାର ଆକ୍ରୋଶ ମନୋଭାବକୁ ତୀବ୍ର ସମାଲୋଚନା କରିଛନ୍ତି। ଏହାର ମୁକାବିଲା ପାଇଁ ଆମେରିକା ଭାରତ ସହ ସହଯୋଗ ଜାରି ରଖିବା ଉଚିତ ବୋଲି ସେ କହିଛନ୍ତି।
ରାଜା କୃଷ୍ଣମୂର୍ତ୍ତି କହିଛନ୍ତି, ଚାଇନାରେ ଶାସକ କମ୍ୟୁନିଷ୍ଟ ପାର୍ଟି ଦେଶର ସେନା ମାଧ୍ୟମରେ ଭାରତୀୟ ସୀମାକୁ ଉଲ୍ଲଂଘନ କରି ଆକ୍ରୋଶ ପ୍ରଦର୍ଶନ କରିଛି। ତାଙ୍କର ମନୋଭାବ ଦେଖି ମୁଁ ନିରାଶ। ଅରୁଣାଚଳ ପ୍ରଦେଶର ହୋଇଥିବା ସାମରିକ ସଂଘର୍ଷରେ ଭାରତୀୟ ସୁରକ୍ଷା ବାହିନୀରେ କୌଣସି ଗୁରୁତର ଆହତ ହୋଇ ନ ଥିବା ଜାଣି ମୁଁ ଖୁସି। କିନ୍ତୁ ଚାଇନାର କମ୍ୟୁନିଷ୍ଟ ପାର୍ଟିର ବଢୁଥିବା ଆକ୍ରମଣାତ୍ମକତାର ଏହା ଅନ୍ୟ ଏକ ଉଦାହରଣ। ଅରୁଣାଚଳ ପ୍ରଦେଶରେ ଭାରତ-ଚାଇନା ବିବାଦ ପୁଣିଥରେ ପ୍ରମାଣିତ କରିଛି, ଚାଇନା ଆକ୍ରୋଶର ମୁକାବିଲା ପାଇଁ ଆମେରିକା ଭାରତ ସମେତ ଏହାର ସମସ୍ତ ସୁରକ୍ଷା ସହଯୋଗୀଙ୍କ ସହ ମିଶି କାର୍ଯ୍ୟ କରିବା ଆବଶ୍ୟକ।
ସୂଚନାଯୋଗ୍ୟ, ଡିସେମ୍ବର ୯ ତାରିଖରେ ଉଭୟ ଦେଶର ସୈନ୍ୟ ମୁହାଁମୁହିଁ ହୋଇଥିଲେ। ଚାଇନାର ୩୦୦-୪୦୦ ସୈନ୍ୟ ଭାରତୀୟ ଯବାନଙ୍କ ଉପରେ ପଥର ମାଡ ମଧ୍ୟ କରିଥିଲେ। ଭାରତୀୟ ସେନା ଏହାର ମୁହଁତୋଡ ଜବାବ ଦେଇଥିଲେ।

Share