ୟୁଏନଏସସିର ଭୋଟିଂରେ ଭାଗ ନେଲେ ନାହିଁ ଭାରତ, ଚାଇନା, ୟୁଏଇ

ନ୍ୟୁୟର୍କ,୨୬ ।୨: ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ କରାଯାଉଥିବା ଆକ୍ରମଣକୁ ନେଇ ଅସହମତି ପ୍ରସ୍ତାବ ଉପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଶୁକ୍ରବାର ଭୋଟିଂ କରାଯାଇଥିଲା । ଏହି ଭୋଟିଂ ପ୍ରକ୍ରିୟାଠାରୁ ଭାରତ ଓ ଚାଇନା ନିଜକୁ ଦୂରେଇ ରଖିଛନ୍ତି । ଏହି ପ୍ରସ୍ତାବରେ ରୁଷିଆର ଆକ୍ରମଣକୁ ନିନ୍ଦା କରାଯିବା ସହ ୟୁକ୍ରେନରୁ ତୁରନ୍ତ ବିନା ସର୍ତ୍ତରେ ସେନା ଫେରାଇ ନେବା କଥା କୁହାଯାଇଛି । ୟୁଏନଏସସିରେ ଆମେରିକା ଓ ଆଲବାନିୟା ଦ୍ୱାରା ପ୍ରସ୍ତୁତ ରିଜୋଲ୍ୟୁସନ ଡ୍ରାଫ୍ଟରେ ରୁଷିଆର ଆକ୍ରୋଶ, ୟୁର୍କେନ ସାର୍ବଭୌମତ୍ୱ, ସ୍ୱାଧିନତା, ଏକତା ଏବଂ ଆଞ୍ଚଳିକ ଅଖଣ୍ଡତା ପାଇଁ ପ୍ରତିଶ୍ରୁତି ଦେଇଛି ଓ ରୁଷିଆର ଆକ୍ରମଣକୁ ଅନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତାର ଉଲ୍ଲଂଘନ ବୋଲି ଦର୍ଶାଯାଇଛି । ପୂର୍ବ ୟୁକ୍ରେନର ଡୋନେଟସ୍କ ଓ ଲୁହାନସ୍କକୁ ସ୍ୱାଧିନ ଦେଶର ମାନ୍ୟତା ଦେବା ନିଷ୍ପତ୍ତିର ତୁରନ୍ତ ପ୍ରତ୍ୟାବର୍ତ୍ତନ ପାଇଁ କୁହାଯାଇଛି ।
ମିଳିତ ଜାତିସଂଘ ସୁରକ୍ଷା ପରିଷଦର ୧୫ ସଦସ୍ୟ ଦେଶରୁ ୧୧ଟି ଦେଶ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ନିନ୍ଦା ପ୍ରସ୍ତାବ ଉପରେ ଭୋଟ ଦେଇଛନ୍ତି । ହେଲେ ଏଥିରୁ ଭାରତ, ଚାଇନା ଓ ୟୁଏଇ ଦୂରେଇ ରହିଛନ୍ତି । ହେଲେ ରୁଷିଆର ଭିଟୋ ପାୱାର ଏହି ପ୍ରସ୍ତାବର ରାସ୍ତାକୁ ବନ୍ଦ କରି ଦେଇଛି । ସୂଚନାଯୋଗ୍ୟ, ରୁଷିଆ ନିକଟରେ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ରହିଥିବାରୁ ତା ନିଟରେ ଭିଟୋ ପାୱାର ରହିଛି ।

Share