ଭାରତ ବିରୋଧରେ କାନାଡାର ଅଭିଯୋଗ ଉପରେ ନିରପେକ୍ଷ ତଦନ୍ତ ଦାବି କଲା ଆମେରିକା

ଓ୍ବାଶିଂଟନ୍‌,୨୭।୯: ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ମଧ୍ୟରେ ଆମେରିକା ପୁଣି ଥରେ ଏକ ବୟାନ ଦେଇଛି। ବୁଧବାର ଆମେରିକା ଭାରତ ବିରୋଧରେ କାନାଡାର ଅଭିଯୋଗ ଉପରେ ସମ୍ପୂର୍ଣ୍ଣ ନିରପେକ୍ଷ ତଦନ୍ତ ଦାବି କରିଛି। ବ୍ରିଟିଶ କଲମ୍ବିଆରେ ଏକ ଖାଲିସ୍ତାନୀ ଆତଙ୍କବାଦୀ ହତ୍ୟାକାଣ୍ଡରେ ଭାରତ ସରକାର ସମ୍ପୃକ୍ତ ଥିବା କାନାଡା ଅଭିଯୋଗ କରିଛି।

ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, କାନାଡାର ଅଭିଯୋଗ ଉପରେ ଆମେ ସମ୍ପୂର୍ଣ୍ଣ ଏବଂ ନିରପେକ୍ଷ ତଦନ୍ତ ହେବା ଉଚିତ୍‌। ମିଲର୍‌ ଆହୁରି କହିଛନ୍ତି, କାନାଡା କହିଛି ଯେ, ସେ ତଦନ୍ତ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଆମେ ବିଶ୍ୱାସ କରୁ ଯେ ଭାରତ ସରକାର ସହଯୋଗ କରିବା ଉଚିତ୍‌।

ସୂଚନାଯୋଗ୍ୟ, ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଟ୍ରୁଡୋଙ୍କ ଅଭିଯୋଗକୁ ଭାରତ ସରକାର ଭିତ୍ତିହୀନ ଏବଂ ଆତଙ୍କବାଦୀଙ୍କ ପାଇଁ କାନାଡା ଏକ ସୁରକ୍ଷିତ ସ୍ଥାନ ପାଲଟିଛି ବୋଲି କହିଛନ୍ତି।

Share