‘ଅଭିଯୋଗ ଅତ୍ୟନ୍ତ ଗମ୍ଭୀର, ଆମେ ଚିନ୍ତିତ ଅଛୁ’ ନିଜାରଙ୍କ ହତ୍ୟା ମାମଲାରେ କାନାଡାର ଅଭିଯୋଗ ଉପରେ ଆମେରିକାର ବୟାନ

ଓ୍ବାଶିଂଟନ,୪।୧୦: ଖାଲିସ୍ତାନ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ମାମଲାରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଅଭିଯୋଗ ପରେ ଭାରତ ଏବଂ କାନାଡା ସମ୍ପର୍କରେ ତିକ୍ତତା ଆସିଛି। ଭାରତ-କାନାଡା ସମ୍ପର୍କକୁ ନେଇ ଆମେରିକା ମଧ୍ୟ ନିଜର ଉଦ୍‌ବେଗ ପ୍ରକାଶ କରିଛି।

ଆମେରିକାର ବୈଦେଶିକ ବିଭାଗର ମୁଖ୍ୟ ଡେପୁଟି ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି ଯେ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଅଭିଯୋଗକୁ ନେଇ ଆମେ ବହୁତ ଚିନ୍ତିତ। ସୂଚନାଯୋଗ୍ୟ, ଏହି ପ୍ରସଙ୍ଗରେ ଜାତୀୟ ସୁରକ୍ଷା ପରିଷଦର ରଣନୈତିକ ଯୋଗାଯୋଗର ସଂଯୋଜକ ଜନ କିର୍ବି ମଧ୍ୟ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ କଥା ହୋଇଛନ୍ତି।

ହ୍ବାଇଟ ହାଉସ କହିଛି, ଖାଲିସ୍ତାନ ସମର୍ଥକ ନେତାଙ୍କ ହତ୍ୟାରେ ଭାରତର ସମ୍ପୃକ୍ତି ନେଇ କାନାଡାର ଅଭିଯୋଗ ଗୁରୁତର ଏବଂ ଏହାର ସମ୍ପୂର୍ଣ୍ଣ ତଦନ୍ତ କରାଯିବା ଉଚିତ୍‌। ହ୍ବାଇଟ ହାଉସର ଜାତୀୟ ସୁରକ୍ଷା ପରିଷଦର ରଣନୈତିକ ଯୋଗାଯୋଗର ସଂଯୋଜକ ଜନ କିର୍ବି କହିଛନ୍ତି, କାନାଡା ଦେଇଥିବା ଦାବି ଉପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସୁଲିଭାନ ଆଲୋଚନା କରିଛନ୍ତି। ଆମେ ସ୍ପଷ୍ଟ, ଏହି ଅଭିଯୋଗ ଗମ୍ଭୀର ଏବଂ ଏହାର ସମ୍ପୂର୍ଣ୍ଣ ଅନୁସନ୍ଧାନ କରାଯିବା ଉଚିତ୍‌। ଆମେ ଭାରତକୁ ତଦନ୍ତରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଅନୁରୋଧ କରୁଛୁ।

Share