ନୂଆଦିଲ୍ଲୀ,୨୭୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କର ଗୁରୁବାର ରାତିରେ ପରଲୋକ ଘଟିଛି। ମନମୋହନ ଏକାଧାରରେ ଜଣେ ରାଜନେତା, ଅର୍ଥନୀତିଜ୍ଞ ଏବଂ ପ୍ରଶାସକ।ସବୁ ଦଳର ନେତାଙ୍କ ସହ ସୁସମ୍ପର୍କ ରକ୍ଷା କରିବା ରାଜନୀତିରେ ତାଙ୍କ ଆଦୃତି ଓ ଗ୍ରହଣୀୟତାର ପରିସରକୁ ବଢ଼ାଇଦେଇଥିଲା। ଏହି ମହାନ୍ ବ୍ୟକ୍ତିତ୍ୱଙ୍କ ଅବର୍ତ୍ତମାନରେ କେବଳ କଂଗ୍ରେସ ନୁହେଁ, ତାଙ୍କୁ ଝୁରୁଛି ସାରା ଦେଶ।
ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ଜେ. ବ୍ଲିଙ୍କେନ ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି। ଆମେରିକାର ବୈଦେଶିକ ବିଭାଗ ଦ୍ୱାରା ଜାରି ବିବୃତ୍ତିରେ ସେ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଦେହାନ୍ତରେ ଆମେରିକା ଭାରତବାସୀଙ୍କୁ ସମବେଦନା ଜଣାଉଛି। ଆମେରିକା-ଭାରତ ରଣନୀତିକ ସହଭାଗୀତାର ଅନ୍ୟତମ ସମର୍ଥକ ଥିଲେ। ସେ ୨ ଦେଶକୁ ଏକାଠି କରିବା ପାଇଁ କାର୍ଯ୍ୟ କରିଥିଲେ। ଆଅନେକ ବିଷୟ ପାଇଁ ମୂଳଦୁଆ ପକାଇଥିଲେ। ତାଙ୍କର ଅର୍ଥନୈତିକ ସଂସ୍କାର ସର୍ବଦା ମନେ ରହିବ। ଭାରତର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିଥିବା ଡକ୍ଟର ସିଂଙ୍କ ଦେହାନ୍ତରେ ଆମେ ଶୋକ କରୁଛୁ।