ଆମେରିକା ସହିପାରୁନି

ବିଂଶ ଶତାବ୍ଦୀର ପ୍ରାରମ୍ଭରୁ ୨୦୦୯ ପର୍ଯ୍ୟନ୍ତ ବିଶ୍ୱ ଅର୍ଥ ବ୍ୟବସ୍ଥାରେ ଆମେରିକା ଓ ୟୁରୋପର ଅଂଶ ୫୦%କୁ ଟପିଯାଇଥିଲା। ୨୦୦୯ରେ ଏହା ୫୧% ଥିଲା ଓ ଏହା ପରେ ହ୍ରାସ ପାଇବାରେ ଲାଗିଛି। ଗତବର୍ଷ ଅର୍ଥାତ୍‌ ୨୦୨୪ରେ ଏହା ୪୩% ଥିଲା ଏବଂ ଆଗକୁ ହ୍ରାସ ପାଇବ। ଆର୍ଥିକ କ୍ଷେତ୍ରରେ ୟୁରୋପ ମାନ୍ଦା ପଡ଼ିଯାଉଛି। ଗତ ବର୍ଷ ଏବଂ ଏହାର ପୂର୍ବ ବର୍ଷ ପ୍ରତ୍ୟେକରେ ସାମଗ୍ରିକ ଭାବେ ୟୁରୋପୀୟ ସଂଘ( ଇୟୁ)ର ଜିଡିପି ୧ ପ୍ରତିଶତରୁ କମ୍‌ ଅଭିବୃଦ୍ଧି ହୋଇଥିଲା। ଚଳିତ ବର୍ଷ ଏହା ୧ ପ୍ରତିଶତ ବୃଦ୍ଧି ଘଟିପାରେ ବୋଲି ଆକଳନ କରାଯାଉଛି। କିନ୍ତୁ ଦୀର୍ଘମିଆଦୀ ସୂତ୍ରରେ ଏହା ଅଧିକ ବୃଦ୍ଧି ଘଟିବା ସମ୍ଭାବନା ନାହିଁ। ବ୍ରିଟେନ୍‌ର ଜିଡିପି ୨୦୨୩ରେ ୧ ପ୍ରତିଶତରୁ କମ୍‌, ୨୦୨୪ରେ ବି ୧ %ରୁ କମ୍‌ ଅଭିବୃଦ୍ଧି ହୋଇଥିଲା ଏବଂ ଚଳିତ ବର୍ଷ ୧ ପ୍ରତିଶତ ବୃଦ୍ଧି ହୋଇପାରେ। ଗତବର୍ଷ ଆମେରିକାର ଅଭିବୃଦ୍ଧି ୨% ହୋଇଥିଲାବେଳେ ଚଳିତ ବର୍ଷ ଏହା ମାନ୍ଦା ଅବସ୍ଥାର ସମ୍ମୁଖୀନ ହୋଇଛି ଏବଂ ବୁଝାପଡ଼ୁଛି ଯେ, ଏହାର ଅର୍ଥ ବ୍ୟବସ୍ଥା ସଙ୍କୁଚିତ ହୋଇଛି। ଆମେରିକା, ବ୍ରିଟେନ, ୟୁରୋପୀୟ ସଂଘ, କାନାଡା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡର ମୋଟ ଜନସଂଖ୍ୟା ବିଶ୍ୱ ଜନସଂଖ୍ୟାର ୧୦%। ଅର୍ଥାତ୍‌ ୨୦୦୯ରେ ପାଶ୍ଚାତ୍ୟ ତୁଳନାରେ ଅର୍ଥ ବ୍ୟବସ୍ଥାରେ ୯୦ ପ୍ରତିଶତ ଲୋକ ରହୁଥିବା ବିଶ୍ୱର ଅବଶିଷ୍ଟ ଦେଶଗୁଡ଼ିକର ଏକ କ୍ଷୁଦ୍ର ଅଂଶ ଥିଲା। କିନ୍ତୁ ଏଥିରେ ଶୀଘ୍ର ପରିବର୍ତ୍ତନ ଘଟୁଛି। ଏହିସବୁ ଦେଶ ମଧ୍ୟରେ ଅଭିବୃଦ୍ଧିରେ ସବୁଠୁ ଆଗରେ ଅଛି ଚାଇନା। ୧୯୯୦ରେ ବୈଶ୍ୱିକ ଜିଡିପିରେ ଏହାର ଅଂଶ ଥିଲା ୧%, ୨୦୦୦ରେ ୩%, ୨୦୧୦ରେ ୯% ଏବଂ ଏବେ ଏହା ୧୭%ରେ ପହଞ୍ଚିଛି। ୧୯୯୦ରେ ଅଭିବୃଦ୍ଧି କ୍ଷେତ୍ରରେ ଚାଇନା ସହ ଭାରତ ସମାନ ଥିଲା, କିନ୍ତୁ ବର୍ତ୍ତମାନ ବୈଶ୍ୱିକ ଜିଡିପି (ପାଖାପାଖି ୧୦୮ ଟ୍ରିଲିୟନ ଡଲାର)ରେ ଭାରତର ଅଂଶ ୩.୬%। ଭାରତ ଆପାତତଃ ଭଲ କରିଛି, କିନ୍ତୁ ବିଗତ ୩୦ ବର୍ଷ ହେଲା ବୈଶ୍ୱିକ ଅଭିବୃଦ୍ଧିର ପ୍ରକୃତ ଇଞ୍ଜିନ ଭାବେ ଚାଇନା ରହିଆସିଛି। ଚାଇନାର ଆଖିଦୃଶିଆ ଅଭିବୃଦ୍ଧି ପାଶ୍ଚାତ୍ୟ ପାଇଁ ଚିନ୍ତାର କାରଣ ହୋଇଛି। ଆଫ୍ରିକା, ଲାଟିନ୍‌ ଆମେରିକା ଏବଂ ଦକ୍ଷିଣ ପୂର୍ବ ଏସିଆରେ ଚାଲିଥିବା ଚାଇନାର ଭିତ୍ତିଭୂମି ପ୍ରୋଜେକ୍ଟଗୁଡ଼ିକ ଉପରେ ପାଶ୍ଚାତ୍ୟର ଗଣମାଧ୍ୟମଗୁଡ଼ିକର ଲଗାତର ଆକ୍ରମଣରୁ ଏହା ସ୍ପଷ୍ଟ ହେଉଛି। ଏହିସବୁ ଭୟ ବା ଚିନ୍ତା ଆମେରିକା ଏବଂ ୟୁରୋପର ରାଜନୀତିରେ ମଧ୍ୟ ପ୍ରକାଶ ପାଉଛି। ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତି ଭଲ ପାଇବା ବିଶେଷକରି ଦୁଇଟି ବିଷୟ ଉପରେ ଆଧାରିତ। ଗୋଟିଏ ହେଉଛି ଅଣଶ୍ୱେତାଙ୍ଗ ଦେଶଗୁଡ଼ିକରୁ ପ୍ରବାସୀଙ୍କୁ ବନ୍ଦ କରିବା ଏବଂ ଯେଉଁମାନେ ଏବେ ଆମେରିକାରେ ଅଛନ୍ତି ସେମାନଙ୍କୁ ଦେଶାନ୍ତର କରିବା। ଅନ୍ୟ ବିଷୟଟି ହେଉଛି ଆମେରିକାକୁ ରପ୍ତାନି କରୁଥିବା ଗରିବ ଦେଶଗୁଡ଼ିକର ଠକାମିକୁ ବନ୍ଦକରିବାର ଇଚ୍ଛା। ଆମେରିକାର ମୁଣ୍ଡ ପିଛା ଜିଡିପି ମେକ୍ସିକୋଠାରୁ ୬ଗୁଣ ବେଶି ଏବଂ ବାର୍ଷିକ କାନାଡାଠାରୁ ଏହା ୩୦ ହଜାର ଡଲାର ଅଧିକ ରହୁଛି, କିନ୍ତୁ ସେମାନେ ଏଥିରେ ଅସନ୍ତୁଷ୍ଟ ହେଉଛନ୍ତି।
ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଅନୁଯାୟୀ ଆମେରିକାର ମୁଣ୍ଡ ପିଛା ଜିଡିପି ୯୦,୦୦୦ ଡଲାରରୁ କମ୍‌ ରହିବା ସମ୍ଭାବନା ରହିଛି। ଭାରତର ବାର୍ଷିକ ମୁଣ୍ଡ ପିଛା ଜିଡିପି ୩,୦୦୦ ଡଲାରରୁ କମ୍‌ ରହିବ। ଯାହା ଆକଳନ କରାଯାଉନା କାହିଁକି, ବିଶ୍ୱରେ ଆମେରିକୀୟମାନେ ସବୁଠୁ ଅଧିକ ସଫଳ ହେଉଛନ୍ତି ଓ ସୁଯୋଗ ପାଉଛନ୍ତି, ତଥାପି ସେମାନେ ଅନ୍ୟମାନଙ୍କ ଉତ୍‌ଥାନକୁ ସହିପାରୁନାହାନ୍ତି। ସେମାନଙ୍କ ମୁଖ୍ୟ ଟାର୍ଗେଟ ହେଉଛି ଚାଇନା। ମାନୁଫାକ୍‌ଚରିଂରେ ଚାଇନିଜ୍‌ମାନେ ଯେଭଳି କାମ କରୁଛନ୍ତି ଆମେରିକାରେ ଟ୍ରମ୍ପ ତାହା କରିବାକୁ ଚାହଁୁଛନ୍ତି। ୧୯୯୦ରେ ମାନୁଫାକ୍‌ଚରିଂରେ ଆମେରିକା ଅର୍ଥ ବ୍ୟବସ୍ଥାର ଅଂଶ ୧୬% ଥିଲା, ଏବେ ଏହା ୧୦%। ମାନୁଫାକ୍‌ଚରିଂ ଉତ୍ପାଦନ ୧୯୯୦ରେ ୧ ଟ୍ରିଲିୟନ ଡଲାର ଥିବାବେଳେ ଏବେ ଏହା ୩ ଟ୍ରିଲିୟନ ଡଲାର। ଏଣୁ ଅନ୍ୟ ଅର୍ଥ ବ୍ୟବସ୍ଥା ତୁଳନାରେ ଆମେରିକାର ମାନୁଫାକ୍‌ଚରିଂରେ ଅଭିବୃଦ୍ଧି ଘଟିଛି, କିନ୍ତୁ ମନ୍ଥର ଗତିରେ। ମାନୁଫାକ୍‌ଚରିଂ କ୍ଷେତ୍ରରେ ଚାକିରି ପ୍ରାୟ ୧୮ ମିଲିୟନରୁ ହ୍ରାସପାଇ ପାଖାପାଖି ୧୨ ମିଲିୟନ ରହିଛି। ଏଣୁ ଆମେରିକାର ଅଳ୍ପ ସଂଖ୍ୟକ ମାନୁଫାକ୍‌ଚରିଂ କର୍ମଚାରୀ ୧୯୯୦ ତୁଳନାରେ ଏବେ ୩ ଗୁଣ ଅଧିକ ଉତ୍ପାଦନ କରୁଛନ୍ତି। ଏହାର ପ୍ରମୁଖ କାରଣ ହେଉଛି ସ୍ବୟଂଚାଳିତ ପଦ୍ଧତି ଓ ଦକ୍ଷତାର ବିକାଶ। ୧୯୯୦ରେ ଆମେରିକା ୮୦ ମିଲିଅନ ଟନ୍‌ ଷ୍ଟିଲ୍‌ ଉତ୍ପାଦନ କରୁଥିଲା, ବର୍ତ୍ତମାନ ପ୍ରାୟ ସେତିକି ଅଛି । ଷ୍ଟିଲ୍‌ ପ୍ଲାଣ୍ଟଗୁଡ଼ିକରେ କାମ କରୁଥିବା ଆମେରିକୀୟଙ୍କ ସଂଖ୍ୟା ୧୯୮୦ରେ ୫,୧୨,୦୦୦ ଥିଲାବେଳେ ୧୯୯୦ରେ ୨,୭୦,୦୦୦ ଓ ୨୦୨୪ରେ ୭୦,୦୦୦ ଥିଲା। ମାନୁଫାକ୍‌ଚରିଂରେ ଏବଂ ଅନ୍ୟତ୍ର ଆମେରିକା ତାହାର କାର୍ଯ୍ୟରତ କର୍ମଚାରୀଙ୍କୁ ସ୍ଥାନାନ୍ତର କରିବା ପାଇଁ ଚାଇନାର ଏବକାର କାର୍ଯ୍ୟ ଢାଞ୍ଚାକୁ ଯଦି ଗ୍ରହଣ କରେ ତେବେ ଆର୍ଥିକ ଉତ୍ପାଦନ ହ୍ରାସ ପାଇବ।
ତଥାପି ଏ ବିଷୟରେ ଟ୍ରମ୍ପ ପ୍ରଶାସନ ଚେଷ୍ଟା କରୁଛି। ଏହା ଦୁଇଟି ଉପାୟରେ କରାଯାଉଛି। ପ୍ରଥମଟିରେ ସବୁ ପ୍ରତିଦ୍ୱନ୍ଦ୍ୱିତାକୁ ବନ୍ଦ କରାଯାଉଛି। ଚାଇନାର ବୈଦ୍ୟୁତିକ କାର୍‌ଗୁଡ଼ିକ ଆମେରିକାକୁ ଆମଦାନୀ ହେଲେ ୧୦୦% ଟିକସ ଲାଗିବ ଅର୍ଥାତ୍‌ ସେସବୁର ମୂଲ୍ୟ ୨ଗୁଣରୁ ଅଧିକ ହୋଇଯିବ। ଯଦି ବି ଜଣେ ଆମେରିକୀୟ ସେହି ଟିକସ ଦିଅନ୍ତି ତେବେ ସେମାନେ ଚାଇନାର କାର୍‌ ଚଳାଇପାରିବେ ନାହିଁ, କାରଣ ଚାଇନିଜ କାର୍‌ ସଫ୍ଟଓ୍ବେର ଉପରେ ପ୍ରତିବନ୍ଧକ ରହିଛି। ପ୍ରତିବନ୍ଧକର ଉଦ୍ଦେଶ୍ୟ ହେଉଛି ଉଭୟ ଆମେରିକାର କମ୍ପାନୀଗୁଡ଼ିକର ସୁରକ୍ଷା କରିବା ଏବଂ ଚାଇନାକୁ ବନ୍ଦ କରିବା। ଦ୍ୱିତୀୟ ଉପାୟ ହେଉଛି, ବିଶ୍ୱସ୍ତରୀୟ ଟାରିଫ୍‌ ମାଧ୍ୟମରେ, ଯାହା ଏପ୍ରିଲ ୨ରେ ସାମ୍ନାକୁ ଆସିବ। ଏହା ୟୁରୋପରେ ଥିବା ଆମେରିକାର ମିତ୍ର ଦେଶ, କାନାଡା ଏବଂ ଅଷ୍ଟ୍ରେଲିଆ ସମେତ ସମଗ୍ର ବିଶ୍ୱକୁ ପ୍ରଭାବିତ କରିବ । ଚଳିତ ଜାନୁଆରୀ ପର୍ଯ୍ୟନ୍ତ ଆମେରିକାର ବାଣିଜ୍ୟ ଅଂଶୀଦାର ରହିଥିବା ଏହିସବୁ ଦେଶ ଏବେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଆମେରିକାର ଏହି ପ୍ରତିକ୍ରିୟା ଆଗକୁ ଗରିବ ଦେଶଗୁଡ଼ିକ ତୁଳନାରେ ତଳକୁ ଖସିବନି ବୋଲି ନିଶ୍ଚିତ କରିବ ତ? ଅବଶ୍ୟ ନୁହେଁ। ଚାଇନା, ଭାରତ, ଆଫ୍ରିକା ଏବଂ ଲାଟିନ ଆମେରିକାର ଅଭିବୃଦ୍ଧି ଜାରି ରହିବ। ଆମେ ମାନବ ଇତିହାସରେ ଏକ ନୂଆ ଯୁଗରେ ପ୍ରବେଶ କରିଛୁ। ଆମେରିକା ଓ ୟୁରୋପର ପ୍ରଭୁତ୍ୱ ଏବଂ ସେମାନଙ୍କ ପ୍ରଭାବ ଧୀରେ ଧୀରେ ହ୍ରାସ ପାଇବ। ପାଶ୍ଚାତ୍ୟ ୧୦୦ ବର୍ଷ ପୂର୍ବେ ଯାହା କରିପାରିଥିଲା ତାହା ଆଉ କରିପାରିବ ନାହିଁ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ନୀରବଘାତକ

ଭାରତରେ ୧୪ କୋଟି ଲୋକ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ନିର୍ଦ୍ଧାରିତ ବାୟୁଗୁଣ ସୂଚକାଙ୍କର ୧୦ ଗୁଣ ପ୍ରଦୂଷିତ ବାୟୁ ସେବନ କରନ୍ତି, ଯାହା ଫଳରେ ପ୍ରତିବର୍ଷ...

ରାଜନେତାଙ୍କ ଲଣ୍ଠନ ଉପାଖ୍ୟାନ

ଅତ୍ୟାଧୁନିକ ବିଜ୍ଞାନ ଓ କାରିଗରି ବିଦ୍ୟା ଡିଜିଟାଲ ଯୁଗରେ ଅଲୋଡ଼ା ହୋଇପଡ଼ିଥିବା ଡିବିରି, ଲଣ୍ଠନ, ଚେମେଣି ଓ ମହମବତି ଏବେ ପୁଣି ଖୋଜା ପଡ଼ିଛି। ବିଦ୍ୟୁତ୍‌...

ହାନିଲାଭର ହିସାବ

ଯୁଦ୍ଧବିରତି ପରେ ଗାଜା ଉପରେ ପୁଣି ଇସ୍ରାଏଲ ଆକ୍ରମଣ କରିବା ଆରମ୍ଭ କରିଦେଇଛି। ୨୪ ମାର୍ଚ୍ଚରେ ଇସ୍ରାଏଲ ସେନା ଗାଜାରେ ବୋମାମାଡ଼ କରିବାରୁ ୬୧ ପାଲେଷ୍ଟିନୀୟଙ୍କ...

ଧନୀ କିଏ ନା ଦରିଦ୍ର କିଏ

ବିଶ୍ୱର ସର୍ବଶ୍ରେଷ୍ଠ ଧନୀମାନଙ୍କର ତାଲିକା ସମୟ ସମୟରେ ଗଣମାଧ୍ୟମରେ ପ୍ରକାଶିତ ହେବା ଆମ ଆଖିରେ ପଡେ। ସେହିପରି ସବୁଠାରୁ ଧନୀ ଦେଶ ହିସାବରେ କୌଣସି ଭୂଖଣ୍ଡ...

ସମାବର୍ତ୍ତନ ଉତ୍ସବ- ସେଦିନ ଓ ଆଜି

ତ୍ରୀଛାତ୍ରମାନଙ୍କ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତି ପରେ ସ୍ବଗୃହ ପ୍ରତ୍ୟାବର୍ତ୍ତନକୁ ସମାବର୍ତ୍ତନ କୁହାଯାଏ। ଏହି ଉପଲକ୍ଷେ ଯେଉଁ ଉତ୍ସବ ଆୟୋଜିତ ହୁଏ ତାହା ସମାବର୍ତ୍ତନ ଉତ୍ସବ ।...

ଡିଜିଟାଲ ଠକେଇ

ଚଳିତ ବର୍ଷ ଓଡ଼ିଶାରେ ଘଟିଥିବା ଦୁଇଟି ଡିଜିଟାଲ ଠକେଇ ଅତ୍ୟନ୍ତ ଚିନ୍ତାଜନକ। ୨୦୨୫ ଫେବୃଆରୀରେ ସେକ୍ସଟର୍ସନର ଶିକାର ହୋଇ କଟକର ୩୫ ବର୍ଷୀୟା ଜଣେ ମହିଳା...

ଏଇ ଭାରତରେ

ବାର୍ଦ୍ଧକ୍ୟରେ ଯେତେବେଳେ ସମ୍ପର୍କର ଡୋର ଛିଣ୍ଡିବା ଆରମ୍ଭ ହୁଏ ସେତେବେଳେ ବିବାହ କଥା ଚିନ୍ତା କରିବା ଅସମ୍ଭବ ଲାଗିଥାଏ। ହେଲେ ଏଭଳି ଏକ ଭାବନାକୁ ଭୁଲ...

ପୁରାତନ ଦୃଷ୍ଟିକୋଣ ବଦଳୁ

ନିକଟରେ ମହାକାଶରୁ ସକୁଶଳ ଫେରିଆସିଥିବା ସୁନୀତା ୱିଲିୟମ୍ସଙ୍କ ଚର୍ଚ୍ଚା ସବୁଠି, ଯଦିଓ ତାଙ୍କ ସହିତ ବୁଚ୍‌ ୱିଲ୍‌ମୋର ଓ ଅନ୍ୟ ଦୁଇଜଣ ସହଯାତ୍ରୀ ଥିଲେ। ନାନା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image