ପାକିସ୍ତାନ ଉପରେ ଆମେରିକାର କଡ଼ା ନଜର…

ଓ୍ବାଶିଂଟନ,୩୦।୪ : କିଛି ଦିନ ପୂର୍ବେ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟର ଅନେକ ଗୋପନୀୟ ଡକ୍ୟୁମେଣ୍ଟ ଇଣ୍ଟରନେଟରେ ଶେୟାର କରାଯାଇଥିଲା। ସୁପର ପାୱାରଙ୍କ ଘରର ଗୁପ୍ତ ତଥ୍ୟ ବାହାରେ ପଡ଼ିବାରୁ ସମଗ୍ର ବିଶ୍ୱରେ ଉତ୍ତେଜନା ଦେଖାଦେଇଥିଲା। ବର୍ତ୍ତମାନ ଏହି ଲିକ ହୋଇଥିବା ଦଲିଲଗୁଡ଼ିକରେ ପାକିସ୍ତାନର ଜଣେ ମନ୍ତ୍ରୀଙ୍କ ସମ୍ବନ୍ଧୀୟ ସୂଚନା ମଧ୍ୟ ରହିଛି। ସୂଚନାନୁସାରେ, ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ହିନା ରବ୍ବାନି ଖାର କହିଛନ୍ତି, ତାଙ୍କ ଦେଶ ଚାଇନା ଏବଂ ଆମେରିକା ମଧ୍ୟରେ ମଧ୍ୟମ ସ୍ଥାନ ହୋଇ ରହିପାରିବ ନାହିଁ। ଯଦି ପାକିସ୍ତାନ ଆମେରିକାକୁ ଆଡକୁ ନିଜର ସମର୍ଥନ ପ୍ରଦାନ କରେ ତେବେ ଚାଇନାଠାରୁ ପାଇଥିବା ବିପୁଳ ସୁବିଧାକୁ ତ୍ୟାଗ କରିବାକୁ ପଡ଼ିବ। ଆମେରିକା ଆଫଗାନିସ୍ତାନ ଛାଡିବା ପରେ ଏହି ବିବୃତ୍ତି ଆସିଥିଲା।
ୱାଶିଂଟନ ପୋଷ୍ଟ ରିପୋର୍ଟ ଅନୁଯାୟୀ, ହିନା ଏକ ଆଭ୍ୟନ୍ତରୀଣ ମେମୋରେ ଏହି କଥା କହିଛନ୍ତି। ଏହି ମେମୋର ଶୀର୍ଷକ ଥିଲା ’ପାକିସ୍ତାନର କଷ୍ଟସାଧ୍ୟ ପସନ୍ଦ’। ଏହି ସ୍ମାରକପତ୍ରରେ ସେ ଲେଖିଛନ୍ତି, ପାକିସ୍ତାନ ପାଶ୍ଚାତ୍ୟକୁ ସନ୍ତୁଷ୍ଟ କରିବାର ଭାବନା ଦେବା ଠାରୁ ଦୂରେଇ ରହିବା ଉଚିତ। ଏହା ବ୍ୟତୀତ ସେ ଲେଖିଛନ୍ତି ଯଦି ପାକିସ୍ତାନ ଆମେରିକା ସହ ସହଭାଗିତା ବଜାୟ ରଖେ ତେବେ ଚାଇନା ସହ ଏହାର ପ୍ରକୃତ ରଣନୀତିକ ଭାଗିଦାରୀକୁ ବଳିଦାନ ଦେବାକୁ ପଡିବ। ତେବେ, ହିନାଙ୍କ ଏହି ମେମୋ କିପରି ଆମେରିକାର ହାତକୁ ଆସିଲା ତାହା ଜଣା ପଡିନାହିଁ।
୯/୧୧ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ହେଉଛି ଏକମାତ୍ର ଦେଶ ଯିଏକି ଆମେରିକାରୁ କୋଟି କୋଟି ଟଙ୍କା ସହାୟତା ପାଇଛି। କିନ୍ତୁ ଏହା ନୁହେଁ ଯେ ଆମେରିକା କେବଳ ପାକିସ୍ତାନର ମନ୍ତ୍ରୀମାନଙ୍କର ଖବର ରଖେ। ଫେବୃଆରୀ ୧୭ ତାରିଖର ଅନ୍ୟ ଏକ ଦଲିଲରେ ୟୁକ୍ରେନ ବିବାଦ ଉପରେ ଜାତିସଂଘ ଭୋଟ ସମ୍ପର୍କରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଆଲୋଚନା ବିଷୟରେ ଉଲ୍ଲେଖ କରାଯାଇଛି। ଏଥିରେ ସେ କହିଛନ୍ତି, ଯଦି ସେ ରୁଷିଆକୁ ନିନ୍ଦା କରୁଥିବା ସଂକଳ୍ପକୁ ସମର୍ଥନ କରନ୍ତି ନାହିଁ, ତେବେ ପାଶ୍ଚାତ୍ୟ ଦେଶରୁ ପାକିସ୍ତାନ ଉପରେ ଚାପ ବୃଦ୍ଧି ପାଇବ।
ଏଥିରୁ ସ୍ପଷ୍ଟ ହୋଇଛି ଯେ, ପାକିସ୍ତାନର ପ୍ରତିଟି କାର୍ଯ୍ୟ ଉପରେ ଆମେରିକା କଡ଼ା ନଜର ରଖୁଛି। ଏହା ସହିତ ପାକିସ୍ତାନର ସମସ୍ତ ମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀଙ୍କ କଥାବାର୍ତ୍ତାକୁ ଗୁରୁତର ସହ ଗ୍ରହଣ କରାଯାଉଛି।

Share