ପାକିସ୍ତାନ ନିର୍ବାଚନକୁ ନେଇ ଆମେରିକା ଚିନ୍ତିତ

ଓ୍ବାଶିଂଟନ୍‌,୬।୨: ଆସନ୍ତା ଫେବୃଆରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଆମେରିକା ସମେତ ବିଶ୍ୱର ଅନେକ ଦେଶ ଏହି ନିର୍ବାଚନ ଉପରେ ନଜର ରଖିଛନ୍ତି। ଆମେରିକାର ବୈଦେଶିକ ବିଭାଗ ଏକ ବିବୃତ୍ତି ଜାରି କରି କହିଛି ଯେ, ସେମାନେ ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ପାକିସ୍ତାନରେ ଅଭିବ୍ୟକ୍ତିର ସ୍ବାଧୀନତା ତଥା ବିଧାନସଭା ଅଧିକାରର ଉଲ୍ଲଂଘନକୁ ନେଇ ଚିନ୍ତିତ ଅଛନ୍ତି।
ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ବେଦାନ୍ତ ପଟେଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପାକିସ୍ତାନର ନିର୍ବାଚନ ପ୍ରକ୍ରିୟା ଉପରେ ଆମେ ନିରନ୍ତର ନଜର ରଖିଛୁ। ଆମେ ଚାହୁଁଛୁ ଅଧିକରୁ ଅଧିକ ଲୋକ ଏଥିରେ ଅଂଶଗ୍ରହଣ କରନ୍ତୁ ଏବଂ ଅଭିବ୍ୟକ୍ତିର ସ୍ବାଧୀନତା ଏବଂ ଆଇନଗତ ଅଧିକାରକୁ ସମ୍ମାନ ଦିଆଯାଉ। ପାକିସ୍ତାନର ଲୋକମାନେ ସେମାନଙ୍କର ମୌଳିକ ଅଧିକାର ବ୍ୟବହାର କରି ସେମାନଙ୍କର ଭବିଷ୍ୟତର ନେତା ଚୟନ କରିବାର ଅଧିକାର ପାଇଛନ୍ତି ଏବଂ ଏଥିପାଇଁ ନିର୍ବାଚନ ମୁକ୍ତ, ନିରପେକ୍ଷ ଏବଂ ବିନା ଭୟରେ ହେବା ଉଚିତ୍‌।
୨୪୧.୫ ନିୟୁତ ଜନସଂଖ୍ୟା ବିଶିଷ୍ଟ ପାକିସ୍ତାନ ବିଶ୍ୱର ପଞ୍ଚମ ଜନସଂଖ୍ୟା ବିଶିଷ୍ଟ ଦେଶ ଅଟେ। ପାକିସ୍ତାନରେ ପୁରୁଷ ଭୋଟରଙ୍କ ସଂଖ୍ୟା ୬.୯ କୋଟି, ମହିଳା ଭୋଟରଙ୍କ ସଂଖ୍ୟା ୫.୯ କୋଟି। ପାକିସ୍ତାନରେ ଭୋଟ ବୟସ ୧୮ ବର୍ଷ। ପାକିସ୍ତାନରେ ୯୬ ପ୍ରତିଶତ ଭୋଟର ହେଉଛନ୍ତି ମୁସଲମାନ, ୧.୫୯ ପ୍ରତିଶତ ଖ୍ରୀଷ୍ଟିଆନ, ୧.୬ ପ୍ରତିଶତ ହିନ୍ଦୁ ଏବଂ ୦.୫ ପ୍ରତିଶତ ଅନ୍ୟମାନେ। ପାକିସ୍ତାନ ନିର୍ବାଚନରେ ୫୧୨୧ ଜଣ ପ୍ରାର୍ଥୀ ୨୬୬ଟି ଆସନ ବିଶିଷ୍ଟ ଜାତୀୟ ସଭାରେ ପହଞ୍ଚିବାକୁ ଯାଉଛନ୍ତି। ସେଥିମଧ୍ୟରୁ କେବଳ ୩୧୨ ଜଣ ମହିଳା ଏବଂ ୨ ଜଣ ଟ୍ରାନ୍ସଜେଣ୍ଡର ଅଟନ୍ତି।

Share