Categories: ଜାତୀୟ

ବିପିନ ରାୱତଙ୍କ ପରଲୋକରେ ଆମେରିକା, ରୁଷିଆ, ପାକିସ୍ତାନ ସମେତ ବିଭିନ୍ନ ଦେଶର ଶୋକ ପ୍ରକାଶ

ନୂଆଦିଲ୍ଲୀ,୯ ।୧୨: ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନରାଲ ବିପିନ ରାୱତଙ୍କ ବିୟୋଗରେ ଆମେରିକା, ରୁଷିଆ, ପାକିସ୍ତାନ ସମେତ ବିଭିନ୍ନ ଦେଶ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ବୁଧବାର ତାମିଲନାଡୁର କୁନ୍ନୁରରେ ସେନା ହେଲିକପ୍ଟର ଏମ୍‌ଆଇ ୧୭ ଦୁର୍ଘଟଣାରେ ଜେନରାଲ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ଅନ୍ୟ ୧୧ ଜଣ ଶହୀଦ ହୋଇଛନ୍ତି । ବାୟୁସେନା ପକ୍ଷରୁ ଏହି ସୂଚନା ମିଳିବା ପରେ ଆମେରିକା ଦୂତାବାସ ପକ୍ଷରୁ ଶୋକ ପ୍ରକାଶ କରାଯାଇଥିଲା । ଆମେରିକା ଦୂତାବାସ ପକ୍ଷରୁ ରାୱତଙ୍କ ପରିବାର ଓ ହେଲିକପ୍ଟର ଦୁର୍ଘଟଣାରେ ଶହୀଦ ହୋଇଥିବା ଅନ୍ୟମାନଙ୍କ ପରିବାର ପ୍ରତି ଗଭିର ସମବେଦନା ବ୍ୟକ୍ତ କରାଯାଇଛି । ଆମେରିକା ଦୂତାବାସ ପକ୍ଷରୁ ଏକ ବୟାନରେ କୁହାଯାଇଛି ଜେନରାଲ ରାୱତ ଭାରତୀୟ ସେନାରେ ପରିବର୍ତ୍ତନର ଏକ ଐତିହାସିକ ଯୁଗର ନେତୃତ୍ୱ ନେଇଥିଲେ । ରାୱତ ଆମେରିକାର ଜଣେ ଭଲ ବନ୍ଧୁ ଓ ସହଯୋଗୀ ଥିଲେ । ଯିଏକି ଆମେରିକା ସେନା ଓ ଭାରତ ସହ ବଢିଥିବା ପ୍ରତିରକ୍ଷା ସହଯୋଗରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଗତ ସେପ୍ଟେମ୍ବରରେ ସେ ଆମେରିକା ଗସ୍ତ କରିଥିବା ସମୟରେ ସେନା ବିକାଶ ଓ ସମାନ ବିଚାରଧାରା ଥିବା ଦେଶସହ ସହଯୋଗ ବୃଦ୍ଧିର ଅବସରକୁ ନେଇ ଚର୍ଚ୍ଚା କରିଥିଲେ ।
ରୁଷିଆର ରାଷ୍ଟ୍ରଦୂତ ନିକୋଲାଏ କୁଦାଶେୱ କହିଛନ୍ତି ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତ ଓ ଅନ୍ୟ ୧୧ ଜଣଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ମିଳିଛି । ଭାରତ ତା’ର ମହାନ ଦେଶଭକ୍ତ ଓ ଜଣେ ସମର୍ପିତ ନାୟକଙ୍କୁ ହରାଇଲା । ସେ ଟୁଇଟ୍ କରି କହିଛନ୍ତି ରୁଷିଆ ତା’ର ଜଣେ ନିକଟତର ବନ୍ଧୁଙ୍କୁ ହରାଇଲା । ବିଦାୟ ବନ୍ଧୁ । ବିଦାୟ କମାଣ୍ଡର । ଭାରତରେ ଥିବା ଅଷ୍ଟ୍ରେଲିୟାର ରାଷ୍ଟ୍ରଦୂତ ବୈରି ଓ ଫେରେଲ ରାୱତଙ୍କ ପରଲୋକରେ ସମବେଦନା ଜଣାଇବା ସହ ଜେନରାଲ ରାୱତଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ-ଅଷ୍ଟ୍ରେଲିୟା ସମ୍ପର୍କ ଖୁବ୍ ମଜଭୁତ ହୋଇଥିଲା ବୋଲି କହିଛନ୍ତି ।
ସେହିପରି ପାକିସ୍ତାନ ସେନାର ପ୍ରବକ୍ତା ଟୁଇଟରରେ ଏକ ସଂକ୍ଷିପ୍ତ ପୋଷ୍ଟ କରି କରିଛନ୍ତି, ସଂଯୁକ୍ତ ଚିଫ୍ ଅଫ୍ ଷ୍ଟାଫ୍ କମିଟିର ଅଧ୍ୟକ୍ଷ ଜେନରାଲ ନଦିମ ରଜା ଓ ସେନାଧ୍ୟକ୍ଷ ଜେନରାଲ କମର ଜାବେଦ ବାଜୱା ସମବେଦନା ଜ୍ଞାପନ କରିଛନ୍ତି ।
ଫ୍ରାନ୍ସର ରାଷ୍ଟ୍ରଦୂତ ଏମେନୁଏଲ ଲେନିନ ବି ଟୁଇଟ୍ କରି ରାୱତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେ କହିଛନ୍ତି ଭାରତ-ଫ୍ରାନ୍ସ ପ୍ରତିରକ୍ଷା ସମ୍ବନ୍ଧରେ ରାୱତଙ୍କ ସମର୍ଥନକୁ ଫ୍ରାନ୍ସ ସବୁବେଳେ ମନେ ରଖିବ ।

Share