‘ପୂର୍ବରୁ ଭାରତ ସହିତ ଏଭଳି ଗଭୀର ସମ୍ପର୍କ ନ ଥିଲା’

ଓ୍ବାଶିଂଟନ୍‌,୧୪।୯: ଭାରତରେ ଜି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସାକ୍ଷାତ ପରେ ଆମେରିକା ବୈଦେଶିକ ମନ୍ତ୍ରଣାଳୟ ଭାରତ-ଆମେରିକା ସମ୍ପର୍କ ସମ୍ପର୍କରେ ଏକ ବୟାନ ଦେଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି ଯେ, ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତା ପୂର୍ବରୁ ଏତେ ଗଭୀର ଏବଂ ଗତିଶୀଳ ନଥିଲା, କାରଣ ଉନ୍ନତ ସେମିକଣ୍ଡକ୍ଟର ବିକାଶ ଠାରୁ ଆରମ୍ଭ କରି ପ୍ରତିରକ୍ଷା ସହଯୋଗ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଭାରତ ଏବଂ ଆମେରିକା ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।

ଜି -୨୦ ଶିଖର ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଗସ୍ତ କରିଥିଲେ, ଯେଉଁଥିରେ ସେ ଶିଖର ସମ୍ମିଳନୀରେ ଭାରତ ସହିତ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଏହା ପରେ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି ଯେ, ଉଭୟ ନେତାଙ୍କ ଦ୍ୱାରା କରାଯାଇଥିବା ଅନେକ ସହଯୋଗରେ ଭାରତ ଏବଂ ଆମେରିକା ଉପକୃତ ହେବେ।

ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି , ରାଷ୍ଟ୍ରପତି ଜୋ ବାଇଡେନ ସରକାର ଭାରତ, ଜାପାନ ଏବଂ ଅଷ୍ଟ୍ରେଲିଆ ସହ କ୍ୱାଡ ସହଭାଗିତାକୁ ବଢାଇଛନ୍ତି, ଫଳରେ ଦେଶ ତଥା ବିଶ୍ୱକୁ ଟିକା ପାଇବାରେ ସାହାଯ୍ୟ ମିଳିପାରିବ। ଏହା ବ୍ୟତୀତ ସାମୁଦ୍ରିକ ସୁରକ୍ଷାକୁ ମଜବୁତ କରିବା ଏବଂ ଜଳବାୟୁ ଆହ୍ବାନର ମୁକାବିଲା ସହିତ ପ୍ରତ୍ୟେକ ବିଷୟ ଉପରେ କାର୍ଯ୍ୟ କରାଯାଇପାରିବ।

Share