ୟୁକ୍ରେନକୁ କ୍ଲଷ୍ଟର ବୋମା ଦେବ ଆମେରିକା

ଓ୍ବାଶିଂଟନ,୭ା୭: ରୁଷିଆ ସହିତ ୟୁକ୍ରେନ୍‌ର ଯୁଦ୍ଧ ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ତେବେ ଆମେରିକା ୟୁକ୍ରେନକୁ କ୍ଲଷ୍ଟର ବୋମା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି। ଏକ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଏହା ଘୋଷଣା କରାଯିବ। ଆମେରିକାର ୩ଜଣ ଅଧିକାରୀ କହିଛନ୍ତି, ୟୁକ୍ରେନକୁ ଦିଆଯିବାକୁ ଥିବା ଅସ୍ତ୍ର ପ୍ୟାକେଜରେ କ୍ଲଷ୍ଟର ବୋମା ରହିବ। ଯାହା ୧୫୫ ମିଲିମିଟର ହାଓ୍ବିଜର ତୋପରୁ ଗୁଳି ଚଳାଇବ।

ରାଷ୍ଟ୍ରପତି ଜୋ ବାଇଡେନ ଗତ ସପ୍ତାହରେ ଜାତୀୟ ସୁରକ୍ଷା ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିଥିଲେ। ଏହି ସମୟରେ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ୟୁକ୍ରେନକୁ କ୍ଲଷ୍ଟର ବୋମା ଦେବା ପାଇଁ ପରାମର୍ଶ ଦେଇଥିଲେ। ଏହା ସତ୍ତ୍ୱେ ୨୦୦୮ରେ କ୍ଲଷ୍ଟର ବୋମା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ୧୦୮ ଦେଶ ମିଳିତ ଜାତିସଂଘ ସମ୍ମିଳନୀରେ ସ୍ବାକ୍ଷର କରିଛନ୍ତି। ଏଥି ମଧ୍ୟରେ ଫ୍ରାନ୍ସ ଏବଂ ବ୍ରିଟେନ ଭଳି ଆମେରିକାର ସହଯୋଗୀମାନେ ଅଛନ୍ତି।
ଯୁଦ୍ଧରେ ଉଭୟ ପକ୍ଷ କ୍ଲଷ୍ଟର ବୋମା ବ୍ୟବହାର କରୁଛନ୍ତି।

ଅନ୍ୟପକ୍ଷରେ ତିନୋଟି ଦେଶ ରୁଷିଆ, ଆମେରିକା ଏବଂ ୟୁକ୍ରେନ କ୍ଲଷ୍ଟର ବୋମା ବ୍ୟବହାର ଉପରେ ନିଷେଧାଦେଶରେ ଜାତିସଂଘର ୨୦୦୮ ଚୁକ୍ତିନାମା ସ୍ବାକ୍ଷର କରିନାହାନ୍ତି। ଜେଲେନ୍‌ସ୍କି ଦୀର୍ଘଦିନ ଧରି ଆମେରିକାର କ୍ଲଷ୍ଟର ବୋମା ଦାବି କରିଆସୁଥିଲେ। ସେ କହିଛନ୍ତି, ଏହି ବୋମା ବ୍ୟବହାର କରି ସେମାନେ ରୁଷିଆ ସୈନ୍ୟଙ୍କୁ ସହଜରେ ନଷ୍ଟ କରିବାରେ ସକ୍ଷମ ହେବେ।

Share