ୟୁକ୍ରେନକୁ ସହାୟତା କରିବ ଆମେରିକା

ଓ୍ବାଶିଂଟନ,୨୬ା୧: ରୁଷିଆ-ୟୁକ୍ରେନ ବିବାଦ ଦିନକୁ ଦିନ ଜଟିଳ ପରିସ୍ଥିତି ଆଡ଼କୁ ମୁହାଁଉଛି। ରୁଷିଆର ମୁକାବିଲା ଲାଗି ଯୁଦ୍ଧଜାହାଜ ଓ ଲଢୁଆ ବିମାନ ପଠାଇଛି ନାଟୋ। ସେପଟେ ୟୁକ୍ରେନ ଛାଡ଼ି ନିଜ ଦେଶକୁ ଫେରିଆସିବା ଲାଗି ସମସ୍ତ କୂଟନୀତିଜ୍ଞଙ୍କୁ ନିର୍ଦ୍ଦେଶ ଦେଇଛି ଆମେରିକା। ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଆମେରିକା କୂଟନୀତିଜ୍ଞ ଆଣ୍ଟୋନି ବ୍ଲିଙ୍କେନ ୟୁରୋପୀୟ ରାଷ୍ଟ୍ରସଂଘ ସହ ଏନେଇ ଆଲୋଚନା କରିଛନ୍ତି । ପରିସ୍ଥିତି ସମ୍ପର୍କରେ ଆଲୋଚନା ଲାଗି ରୁଷିଆର ବୈଦେଶିକ ମନ୍ତ୍ରୀ ଜେନେଭା ଗସ୍ତରେ ଯାଇଛନ୍ତି ।

ଯଦି ରୁଷିଆ ୟୁକ୍ରେନକୁ ସୈନ୍ୟ ପଠାଏ ତେବେ ଏହା ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି ଓ୍ବାଶିଂଟନ ୟୁରୋପୀୟ ସଂଘ କହିଛି। ୨୦୧୪ରେ ୟୁକ୍ରେନର କ୍ରିମିଆ ଉପରେ ମସ୍କୋର ଆକ୍ରମଣକୁ ନେଇ ଏହି ବିବାଦ ବଢ଼ିଛି। ସେହିଦିନଠାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଛି। ଫଳରେ ୧୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ରୁଷିଆ ଆକ୍ରମଣ କଲେ ଆମେରିକା ୟୁକ୍ରେନକୁ ସହାୟତା କରିବ ବୋଲି ଘୋଷଣା କରିଛି।

Share