ୟୁକ୍ରେନ୍‌ରେ ଆମେରିକୀୟ ଫିଲ୍ମ ନିର୍ମାତା ନିହତ

ଓ୍ବାଶିଂଟନ୍‌, ୧୪ା୩: ଆମେରିକୀୟ ଫିଲ୍ମ ନିର୍ମାତା ତଥା ଖବରଦାତା ରବିବାର ୟୁକ୍ରେନ୍‌ରେ ରୁଷିଆ ଆକ୍ରମଣର ଶିକାର ହୋଇଛନ୍ତି। କ୍ୱିଭ୍‌ରେ ରୁଷୀୟ ସୈନ୍ୟଙ୍କ ଗୁଳି ବାଜିବାରୁ ତାଙ୍କ ମୃତ୍ୟୁ ଘଟିଛି। ୫୧ ବର୍ଷୀୟ ଭିଡିଓ ଜର୍ନାଲିଷ୍ଟ ବ୍ରେଣ୍ଟ୍‌ ଇର୍‌ପିନ୍‌ରେ ରିପୋର୍ଟିଂ କରୁଥିବାବେଳେ ରୋମାନିଭ୍‌ସ୍କି ବ୍ରିଜ୍‌ ନିକଟରେ ଥିବା ଏକ କାର ଉପରେ ରୁଷିଆ ସୈନ୍ୟ ଗୁଳି ଚଳାଇଥିଲେ। ଫଳରେ ବ୍ରେଣ୍ଟ୍‌ଙ୍କ ବେକରେ ଗୁଳି ବାଜିଥିଲା। ଇର୍‌ପିନ୍‌ରେ ରିପୋର୍ଟି କରୁଥିବା ପିବିଏସ୍‌ ନ୍ୟୁଜ୍‌ଆଓ୍ବାରର ଜଣେ ଖବରଦାତା ସେଠାରେ ବ୍ରେଣ୍ଟଙ୍କ ମୃତଦେହ ଏକ ବ୍ଲାଙ୍କେଟ୍‌ରେ ଘୋଡ଼ା ହୋଇଥିବା ଦେଖିବାକୁ ପାଇଥିଲେ ବୋଲି ଟୁଇଟ କରିଛନ୍ତି। ସେ ନ୍ୟୁୟର୍କ ଟାଇମ୍ସର ଏକ ଆଇ-କାର୍ଡ ପକାଇଥିବା ଦେଖିବାକୁ ମିଳିଛି। ବ୍ରେଣ୍ଟ୍‌ଙ୍କ ମୃତ୍ୟୁରେ ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ଶୋକ ପ୍ରକାଶ ପାଇଛି। ସେ ଜଣେ ଦକ୍ଷ ଫଟୋଗ୍ରାଫର ଥିଲେ। କିନ୍ତୁ ୟୁକ୍ରେନ୍‌ରେ ଖବର ସଂଗ୍ରହ ପାଇଁ ତାଙ୍କୁ ପଠାଯାଇ ନ ଥିଲା। ବହୁ ଦିନ ପୂର୍ବରୁ ତାଙ୍କୁ ଉକ୍ତ ପ୍ରେସ୍‌ ବ୍ୟାଜ୍‌ ଦିଆଯାଇଥିଲା ବୋଲି ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।
ବର୍ବର ଆକ୍ରମଣକୁ ଦୁନିଆକୁ ଦେଖାଉଥିବା ଜଣେ ଖବରଦାତଙ୍କ ଜୀବନ ଯାଇଛି ବୋଲି କ୍ୱିଭ୍‌ର ପୋଲିସ ବିଭାଗ ମୁଖ୍ୟ ଆଣ୍ଡ୍ରେ ନେବିତୋଭ୍‌ କହିଛନ୍ତି। ଆକ୍ରମଣରେ ଆଉ ଦୁଇ ଜଣ ଖବରଦାତା ଆହତ ହୋଇ ଚିକିତ୍ସାଧୀନ ଥିବା ସେ ସୂଚନା ଦେଇଛନ୍ତି। ବ୍ରେଣ୍ଟ ଏବଂ ତାଙ୍କ ଭାଇ କ୍ରାଇଗ୍‌ ମିଶି ଇରାକ୍‌, ଆଫଗାନିସ୍ତାନ, ଇଜିପ୍ଟ, ଲିବ୍ୟା ଭଳି ଯୁଦ୍ଧ ପ୍ରଭାବିତ ଦେଶ ଉପରେ ଫିଲ୍ମ ନିର୍ମାଣ କରିଛନ୍ତି। ରେନାଉଦ୍‌ ବ୍ରଦର୍ସ ଭାବେ ପରିଚିତ ଏହି ଦୁଇ ଭାଇ ପିବଡି ସମେତ ଏକାଧିକ ପୁରସ୍କାର ପାଇଛନ୍ତି। ଏମି ଆଓ୍ବାର୍ଡ ପାଇଁ ମଧ୍ୟ ଉଭୟେ ଅନେକ ଥର ନୋମିନେଟ୍‌ ହୋଇଛନ୍ତି।

Share