ମାମୁଙ୍କର ଅତି ନିକଟତର ଥିଲେ ଏହି ସଙ୍ଗୀତକାର: ମୃତ୍ୟୁ ପରେ ତାଙ୍କ କଙ୍କାଳରେ ତିଆରିକଲେ ଗୀଟାର

ଆମେରିକାର ସଙ୍ଗୀତକାର ପ୍ରିନ୍ସ ମିଡନାଇଟ୍‌ଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ତାଙ୍କୁ ଏବଂ ତାଙ୍କ ଗୀଟାରକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଭିଡିଓକୁ ବହୁତ ଶେୟାର ମଧ୍ୟ କରାଯାଉଛି। ତେବେ ପ୍ରିନ୍ସଙ୍କ ଗୀଟାର ପଛର କାହାଣୀକୁ ଅନେକ ଲୋକ ବିଶ୍ୱାସ ମଧ୍ୟ କରିପାରୁ ନାହାନ୍ତି।
ବାସ୍ତବରେ ପ୍ରିନ୍ସ ତାଙ୍କର ଭିନ୍ନ ହେଭି ମେଟାଲ ମ୍ୟୁଜିକ୍‌ ପାଇଁ ବେଶ୍‌ ପରିଚିତ। ତାଙ୍କର ଲୋକପ୍ରିୟତାର ଶ୍ରେୟ ତାଙ୍କ ମାମୁଙ୍କୁ ଦିଆଯାଉଛି।
ଅତିତରେ ପ୍ରିନ୍ସଙ୍କ ମାମୁଙ୍କର ମୃତ୍ୟୁ ଘଟିଥିଲା। ମାମୁଙ୍କ ମୃତ୍ୟୁରେ ଭାଙ୍ଗିପଡ଼ିଥିବା ପ୍ରିନ୍ସ ତାଙ୍କୁ ଭିନ୍ନ ଶୈଳୀରେ ଶ୍ରଦ୍ଧାଞ୍ଜଳି ଦେବାକୁ ଚାହୁଁଥିଲେ। ତେଣୁ ପ୍ରିନ୍ସ ମାମୁଙ୍କ କଙ୍କାଳକୁ ଇଲେକ୍ଟ୍ରିକ୍‌ ଗୀଟାରରେ ପରିଣତ କଲେ। ଏଥିସହ ସେ ୟୁଟ୍ୟୁବ୍‌ରେ ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି। ଏହି ଭିଡିଓରେ ପ୍ରିନ୍ସ ଉକ୍ତ ଗୀଟାରକୁ ଅତି ସହଜରେ ବଜାଉଥିବାର ଦେଖିବାକୁ ମିଳୁଛି।
ଏ ନେଇ ପ୍ରିନ୍ସ କହିଛନ୍ତି, ମୁଁ ମାମୁଙ୍କ କଙ୍କାଳକୁ ଗୀଟାରରେ ପରିଣତ କରିବାକୁ ନିଷ୍ପତ୍ତି ନେଇଥିଲି। କିନ୍ତୁ ଏହା ଏକ ଚ୍ୟାଲେଞ୍ଜିଂ କାମ ଥିଲା। ମୁଁ ଏହା ଉପରେ ବହୁତ ଗବେଷଣା କଲି ଏବଂ ଜାଣିଲି ଯେ ଆଜି ପର୍ଯ୍ୟନ୍ତ କେହି କଙ୍କାଳରୁ ଗୀଟାର ତିଆରି କରିନାହାନ୍ତି । ତେଣୁ ମୁଁ ଏହା କରିବାକୁ ସ୍ଥିର କଲି।

Share