ଚାଇନାରେ ଆଉ ଏକ ଅଜଣା ରୋଗର ଶିକାର ଆମେରିକୀୟ ଅଧିକାରୀ, ଷଡ଼ଯନ୍ତ୍ର ଅଭିଯୋଗ ଆଣିଲେ ଟ୍ରମ୍ପ ପ୍ରଶାସନ

ଓ୍ବାଶିଂଟନ,୨୨ା୧୦: ଚାଇନାରେ ଆମେରିକାର ଅଧିକାରୀମାନେ ହଠାତ୍‌ ଏକ ଅଜଣା ରୋଗର ଶିକାର ହେବା ପରେ ଟ୍ରମ୍ପ୍‌ ପ୍ରଶାସନ ଚାଇନା ଏନେଇ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ଆଣିଛନ୍ତି। ଆମେରିକା ସରକାର ଏହି ଅଭିଯୋଗ ଏଥିପାଇଁ ଲଗାଇଛନ୍ତି କାରଣ ଚାଇନାର ଗାଙ୍ଗ୍‌ଝୋଉରେ ଆମେରିକାର ବୈଦେଶିକ ବିଭାଗରେ କାର୍ଯ୍ୟରତ ଅଧିକାରୀ ଲେନଜୀ ଏବଂ ତାଙ୍କ ସ୍ତ୍ରୀ ଯେତେବେଳେ ନିଦରୁ ଉଠିଲେ ସେମାନେ ଆଖି ଖୋଲିପାରିଲେନି। କେବଳ ଏତିକି ନୁହେଁ, ତାଙ୍କ ମୁଣ୍ଡ ଖୁବ୍‌ ଦରଜ ଲାଗିଲା। ତାଙ୍କ ପିଲାଙ୍କ ନାକ ମଧ୍ୟରୁ ରକ୍ତସ୍ରାବ ହେବାରେ ଲାଗିଲା। ଅଧିକାରୀ ଏବଂ ତାଙ୍କ ପରିବାରଙ୍କୁ ପ୍ରଥମେ ବାୟୁ ପ୍ରଦୂଷଣ କାରଣ ଯୋଗୁ ଏହା ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଥିଲା। ମାତ୍ର କିଛିଦିନ ପରେ ତାଙ୍କ ସ୍ମରଣଶକ୍ତି ହ୍ରାସ ପାଇଲା। ଚାଇନାରେ ଲେନ୍‌ଜୀ ପ୍ରଥମ ଆମେରିକୀୟ ଅଧିକାରୀ ନୁହନ୍ତି, ଯାହାଙ୍କର ଏମିତି ସମସ୍ୟା ହେଉଛ, ଏହା ପୂର୍ବରୁ ୨୦୧୮ରୁ ଆଜିପର୍ଯ୍ୟନ୍ତ ୧୨ ଜଣରୁ ଅଧିକ ଆମେରିକୀୟ ଅଧିକାରୀ ଏହି ଅଜଣା ରୋଗର ଶିକାର ହୋଇସାରିଛନ୍ତି। ଯାହା ପରେ ଟ୍ରମ୍ପ୍‌ ପ୍ରଶାସନ ଏହା ଚାଇନାର ଏକ ଷଡ଼ଯନ୍ତ୍ର ବୋଲି ଅଭିଯୋଗ ଆଣିଛନ୍ତି।
ଆମେରିକା ବ୍ୟତୀତ ଋଷିଆ, କ୍ୟୁବାରେ ମଧ୍ୟ ଏହି ରହସ୍ୟମୟ ରୋଗ ଦେଖାଯାଇଛି। ଏହା ପରେ ରାସାୟନିକ ଆକ୍ରମଣର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ଟ୍ରମ୍ପ୍‌ ସରକାରଙ୍କ କହିବା ଅନୁସାରେ, ଚାଇନାରେ ଯେପରି ବୈଦେଶିକ ଅଧିକାରୀମାନେ ଅଜଣା ରୋଗର ଶିକାର ହେଉଛନ୍ତି, ତାହା ହାଭାନା ସିଣ୍ଡ୍ରୋମ ପରି। ୨୦୧୬-୧୭ରେ କ୍ୟୁବାର ରାଜଧାନୀ ହାଭାନାରେ ୨୦ରୁ ଅଧିକ ଆମେରିକୀୟ ଅଧିକାରୀ ଏହି ଅଜଣା ରୋଗର ଶିକାର ହୋଇଥିଲେ। ଏଥିରେ ସିଆଇଏର ଅଧିକାରୀ ମଧ୍ୟ ସାମିଲ ଥିଲେ।

Share