Categories: ଖେଳ

ବ୍ରୋଞ୍ଜ୍‌ ପଦକ ହାସଲ ପରେ ଚେତା ହରାଇଲେ ଏହି ଆଥ୍‌ଲେଟ

ସେଣ୍ଟ-ଡେନିସ (ଫ୍ରାନ୍ସ), ୧୦ା୮: ଗୁରୁବାର ଅନୁଷ୍ଠିତ ପୁରୁଷ ୨୦୦ ମିଟର ଫାଇନାଲରେ ବ୍ରୋଞ୍ଜ ପଦକ ହାସଲ କରିବା ପରେ ଚେତାଶୂନ୍ୟ ହୋଇପଡ଼ିଥିଲେ ଆମେରିକାର ଅନ୍ୟତମ ଷ୍ଟାର ଆଥ୍‌ଲେଟ ନୋଆ ଲାଇଲ୍ସ। କୋଭିଡ୍‌ ପ୍ରଭାବ ଯୋଗୁ ଏପରି ହୋଇଥିବା ଅନୁମାନ କରାଯାଉଛି। ନୋଆ ଗତ ୩ ବର୍ଷ ହେଲା ତାଙ୍କ ଫେଭରାଇଟ୍‌ ୨୦୦ମିଟର ରେସରେ ଅପ୍ରତିଦ୍ୱନ୍ଦ୍ୱୀ ରହିଥିଲେ। ପ୍ୟାରିସ ଅଲିମ୍ପିକ୍ସରେ ସେ କିନ୍ତୁ ବୋତସୁଆନାର ଲଟ୍‌ସିଲ ଟେବୋଗୋ ଏବଂ ତାଙ୍କ ଦେଶର କେନି ବେଡନାରେକଙ୍କ ପଛରେ ତୃତୀୟ ସ୍ଥାନରେ ରହିଥିଲେ। ୪ବର୍ଷ ପୂର୍ବେ ଦେଖାଦେଇଥିବା ଏହି ପ୍ରାଣହାନି ଭାଇରସ ଗତ ଅଲିମ୍ପିକ୍ସରେ କ୍ଷତି ଘଟାଇଥିଲା। ପ୍ୟାରିସ ଗେମ୍ସରେ ମଧ୍ୟ ଏହା ସମସ୍ୟା ସୃଷ୍ଟି କରିଛି। ଦୁଇ ଦିନ ପୂର୍ବେ କୋଭିଡ୍‌ ଟେଷ୍ଟରେ ନୋଆଙ୍କ ପଜିଟିଭ ଆସିଥିଲା। ୟୁଏସ୍‌ଏ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଓ ୟୁଏସ୍‌ ଅଲିମ୍ପିକ ଏବଂ ପାରାଲିମ୍ପିକ କମିଟି ଅଫିସିଆଲଙ୍କ ଆଶୀର୍ବାଦ ଯୋଗୁ ଲାଇଲ୍ସ ଦୌଡ଼ରେ ଭାଗ ନେଇପାରିଥିଲେ। ସେମାନେ ପ୍ରୋଟୋକଲ ଅନୁସରଣ କରିବାରୁ ଏହା ସମ୍ଭବ ହୋଇପାରିିଥିଲା। ନୋଆ ୧୯.୭୦ ଟାଇମିଂରେ ତାଙ୍କ ରେସ୍‌ ଶେଷ କରିଥିଲେ। ଏହା ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠଠାରୁ .୩୯ ପଛରେ ରହିଥିଲା। ସେ ୨୧ବର୍ଷୀୟ ଟେବୋଗୋଙ୍କଠାରୁ ସେ .୨୪ ପଛରେ ରହିଥିଲେ। ଲାଇଲ୍ସଙ୍କ ୟୁଏସ୍‌ ଟିମ୍‌ମେଟ୍‌ କେନି ଦ୍ୱିତୀୟ ସ୍ଥାନରେ ରହିଥିଲେ।

Share