ପାକିସ୍ତାନରେ ଆମେରିକୀୟ ଯୁବତୀଙ୍କୁ ବଳାତ୍କାର

ଇସ୍‌ଲାମାବାଦ୍‌,୨୩ା୭: ଆମେରିକାର ଜଣେ ୨୧ ବର୍ଷୀୟା ସୋସିଆଲ ମିଡିଆ ଆକ୍ଟିଭିଷ୍ଟଙ୍କୁ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଗତ ସପ୍ତାହରେ ଯୁବତୀ ଜଣକ ବଳାତ୍କାରର ଶିକାର ହୋଇଥିବା ନେଇ ଏବେ ଅନ୍‌ଲାଇନ୍‌ରେ ପ୍ରଘଟ ହେବା ପରେ ଲୋକେ ଏହାକୁ ଅତ୍ୟନ୍ତ ଲଜ୍ଜାଜନକ ବୋଲି ଅଭିହିତ କରିଛନ୍ତି। ଏହି ବର୍ବରତା ଘଟାଇଥିବା ଅଭିଯୁକ୍ତଙ୍କ ବିରୋଧରେ ପାକିସ୍ତାନର ନେଟିଜେନ୍ସ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ୟୁଜର୍ସ ଲେଖିଛନ୍ତି, ଦେଶରେ ଯଦି ପାକିସ୍ତାନୀମାନେ ସୁରକ୍ଷିତ ନୁହନ୍ତି ତେବେ ବିଦେଶୀମାନଙ୍କ କଥା କିଏ ପଚାରେ। ପ୍ରକାଶ ଯେ, ଆମେରିକୀୟ ଯୁବତୀ ଜଣକ ୭ ମାସ ହେଲା ଟୁରିଷ୍ଟ ଭିଜାରେ ପାକିସ୍ତାନ ଆସି ରହୁଥିଲେ। ଗତ ୧୭ ତାରିଖରେ ଡେରା ଗାଜି ଖାନ୍‌ଙ୍କ ଫର୍ଟ ମୋନ୍‌ରୋ ହିଲ୍‌ ଷ୍ଟେଶନସ୍ଥିତ ଏକ ହୋଟେଲ ରୁମ୍‌ରେ ସେ ଥିବାବେଳେ ରାଜନପୁରର ମୁଜାମଲ ସିପ୍ରା ଓ ଶେହଜାଦ୍‌ ରାତିରେ ତାଙ୍କୁ ବଳାତ୍କାର କରିଥିଲେ। ଏପରି କି ଏନେଇ ମୁହଁ ଖୋଲିଲେ ତାଙ୍କୁ ଜୀବନରେ ମାରିଦେବାକୁ ଦୁହେଁ ଧମକ ଦେଇଥିବା ନେଇ ପୀଡ଼ିତା ବର୍ଡର ମିଲିଟାରି ଥାନାରେ ଏତଲା ଦେଇଛନ୍ତି। ଏକ ରିପୋର୍ଟ ଅନୁସାରେ ଗତ ଜୁନ୍‌ରେ ପାକିସ୍ତାନରେ ୧୫୭ ମହିଳାଙ୍କୁ ଅପହରଣ, ୧୧୨ ଜଣଙ୍କୁ ଶାରୀରିକ ଉତ୍ପୀଡ଼ନ ଓ ୯୧ ମହିଳାଙ୍କୁ ବଳାତ୍କାର କରାଯାଇଛି। ସେମାନଙ୍କ ମଧ୍ୟରୁ ୫୩ ଜଣ କେବଳ ପଞ୍ଜାବ ପ୍ରଦେଶରେ ବଳାତ୍କାରର ଶିକାର ହୋଇଛନ୍ତି।

Share