Categories: ଜାତୀୟ

ଜଙ୍ଗଲରୁ ଉଦ୍ଧାର ହେଲେ ଆମେରିକୀୟ ମହିଳା

ମୁମ୍ବାଇ, ୩୦ା୭:ମହାରାଷ୍ଟ୍ର ସିନ୍ଧୁଦୁର୍ଗ ଜିଲାର ଏକ ଜଙ୍ଗଲରେ ଜଣେ ଆମେରିକୀୟ ମହିଳା(୫୦) ଚେନ୍‌ ଯୋଗେ ଏକ ଗଛରେ ବନ୍ଧା ହୋଇ ପଡ଼ିଥିବାବେଳେ ତାଙ୍କୁ ସୋମବାର ପୋଲିସ ଉଦ୍ଧାର କରିଛି। ଉକ୍ତ ଜଙ୍ଗଲ ନିକଟରେ ଥିବା ସୋନୁରଲି ଗ୍ରାମର ଜଣେ ମେଣ୍ଢା ଚରାଳି ମହିଳାଙ୍କ କାନ୍ଦ ଶୁଣିବାକୁ ପାଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ନିକଟସ୍ଥ ସାଓ୍ବନ୍ତଓ୍ବାଡ଼ି ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲା। ମହିଳା ଜଣକ ମାନସିକ ଭାବେ ପୀଡ଼ିତ ଥିବା ନେଇ ଉକ୍ତ ହସ୍ପିଟାଲରେ ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି। ସେ କିଛି କହିବାକୁ ସକ୍ଷମ ହେଉ ନ ଥିବାବେଳେ ଏକ କାଗଜରେ ଲେଖି ନିଜ ସମସ୍ୟା ଜଣାଉଥିଲେ। ଘରୋଇ ଝଗଡ଼ା ପରେ ସ୍ବାମୀ ତାଙ୍କୁ ଗଛରେ ବାନ୍ଧି ଦେଇଥିଲେ ବୋଲି ଉକ୍ତ ମହିଳା କାଗଜରେ ଲେଖି ପୋଲିସକୁ ଜଣାଇଛନ୍ତି। ସେହିପରି ସେ ଗତ ୪୦ ଦିନ ଧରି କିଛି ଖାଇ ନ ଥିବା ମଧ୍ୟ ଲେଖିକରି ଜଣାଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ଏଫ୍‌ଆଇଆର୍‌ ରୁଜୁ ହୋଇ ନ ଥିବା ପୋଲିସ ସୂଚନା ଦେଇଛି। ଉକ୍ତ ମହିଳାଙ୍କ ନିକଟରୁ ଆମେରିକାର ପାସପୋର୍ଟ ଜବତ କରାଯାଇଛି। ଲଳିତା କାୟୀ କୁମାରୀ ଏସ୍‌ ନାମ୍ନୀ ଏହି ଆମେରିକୀୟ ମହିଳା ଗତ କିଛିବର୍ଷ ଧରି ତାମିଲନାଡ଼ୁରେ ରହୁଥିଲେ ବୋଲି ପୋଲିସ କହିଛି। ସେ ଗତ କିଛି ଦିନ ଧରି ଖାଇ ନ ଥିବାରୁ ଦୁର୍ବଳ ଅଛନ୍ତି, ତେଣୁ ବିବୃତି ଦେବା ସ୍ଥିତିରେ ନାହାନ୍ତି। ସିନ୍ଧୁଦୁର୍ଗ ଜିଲାରେ ଗତ ସପ୍ତାହେ ହେବ ଲଗାଣ ବର୍ଷା ଜାରି ରହିଥିବାବେଳେ ଏହି ମହିଳା ଜଣକ କେତେଦିନ ଧରି ଗଛରେ ବନ୍ଧା ହୋଇ ରହିଥିଲେ, ସେନେଇ ତଦନ୍ତ କରାଯାଉଥିବା ପୋଲିସ ସୂଚନା ଦେଇଛି।

Share