ଓ୍ବାଶିଂଟନ,୫।୯: କରୋନା ସଂକ୍ରମଣ ଆମେରିକାର ସ୍ଥିତିକୁ ବିଗାଡିବାରେ ଲାଗିଛି। ଏବେ ଆମେରିକାର ଡାଟା ବିଶ୍ଳେଷଣର କେତେଜଣ ବିଶେଷଜ୍ଞ କହିଛନ୍ତି ଯଦି ଆମେରିକାରେ ଲୋକ ମାସ୍କ ନ ପିନ୍ଧିବେ ତେବେ ଚଳିତ ବର୍ଷ କରୋନା ସଂକ୍ରମଣରେ ୪ ଲକ୍ଷ ୧୦ ହଜାର ଲୋକଙ୍କ ମୃତ୍ୟୁ ହେବ। ଓ୍ବାଶିଂଟନ ୟୁନିଭର୍ସିଟିର ଇନଷ୍ଟିଚ୍ୟୁଟ ଫର୍ ହେଲ୍ଥ ମେଟ୍ରିକ୍ସ ଆଣ୍ଡ ଇଭାଲ୍ୟୁଏଶନ(ଆଇଏଚ୍ଏମ୍ଇ) ତା’ର ପୁରୁଣା ଆକଳନରେ ପରିବର୍ତ୍ତନ କରି ଏବେ ଏହି ନୂଆ ସଂଖ୍ୟା ଜାରି କରିଛି। ଆଇଏଚ୍ଏମ୍ଇର ଏହି ଆକଳନ ଏବେ ପର୍ଯ୍ୟନ୍ତ କରୋନାରେ ମୃତ୍ୟୁ ହୋଇଥିବା ସଂଖ୍ୟାର ଦୁଇଗୁଣାରୁ ଅଧିକ। ଏବେସୁଦ୍ଧା ଆମେରିକାରେ କରୋନା ସଂକ୍ରମଣରେ ୧ଲକ୍ଷ ୮୬ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। ଆଇଏଚ୍ଏମ୍ଇ ଆହୁରି ମଧ୍ୟ କହିଛି ଯେ ଡିସେମ୍ବରରେ ଆମେରିକାରେ ପ୍ରତିଦିନ କରୋନା ସଂକ୍ରମଣରେ ପାଖାପାଖିି ୩ ହଜାର ଲୋକଙ୍କ ମୃତ୍ୟୁ ହେବ। ମହାମାରୀ ରୋଗ ବିଶେଷଜ୍ଞ କହିଛନ୍ତି ଯଦି ଅଧିକାଂଶ ଲୋକ ମାସ୍କ ବ୍ୟବହାର କରିବେ ତେବେ ମୃତ୍ୟୁ ସଂଖ୍ୟା ୩୦ ପ୍ରତିଶତ କମ୍ ହୋଇଯିବ। ଡାକ୍ତରଙ୍କର ମତ ହେଉଛି ଦେଶରେ ମାସ୍କ ପିନ୍ଧୁଥିବା ଲୋକଙ୍କ ସଂଖ୍ୟା ବେଳକୁ ବେଳ କମ୍ ହେବାରେ ଲାଗିଛି। ଆମେରିକା ସରକାରଙ୍କ କରୋନା ଭାଇରସ ଟାସ୍କ ଫୋର୍ସ ଆଇଏଚ୍ଏମ୍ଇ ଉପରେ ନଜର ରଖିଛି। ଏବେ ପ୍ରତିଦିନ ଆମେରିକାରେ କରୋନା ସଂକ୍ରମଣ ଯୋଗୁ ପାଖାପାଖି ୮୫୦ ଲୋକଙ୍କ ମୃତ୍ୟୁ ହେଉଛି। ପ୍ରତିଦିନ ୪୦-୫୦ ହଜାର ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସହ ଏବେ ସେଠାରେ ମୋଟ ସଂକ୍ରମଣ ୬୩ ଲକ୍ଷ ଅତିକ୍ରମ କରି ସାରିଲାଣି।