ଆମେରିକାର ନୂଆ ରଣନୀତି, ଲୁହାକୁ କାଟିବ ଲୁହାରେ…

ଓ୍ବାଶିଂଟନ,୨।୯: ଆମେରିକା ଏବେ ନୂଆ ରଣନୀତି ଗ୍ରହଣ କରିଛି। ଆଇଏସ୍‌ ଆତଙ୍କବାଦୀ ସଂଗଠନ ବିରୋଧରେ ଲଢ଼େଇ ପାଇଁ ତାଲିବାନ କାନ୍ଧରେ ବନ୍ଧୁକ ରଖିବା ଲାଗି ଆମେରିକା ଯୋଜନା କରିଛି। ଏହାଦ୍ୱାରା ଲୁହାକୁ ଲୁହାରେ କଟାଯାଇପାରିବ। ଗୋଟିଏ ଆତଙ୍କବାଦୀ ସଂଗଠନ ବିରୋଧରେ ଅନ୍ୟ ସଂଗଠନକୁ ବ୍ୟବହାର କରିବାକୁ ପେଣ୍ଟାଗନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଆଇଏସ୍‌ ସହିତ ଅଲ୍‌କାଇଦା ଆତଙ୍କବାଦୀ ସଂଗଠନକୁ ଲୋପ କରିବା ଲାଗି ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସରକାର ଅଣ୍ଟା ଭିଡ଼ିଛନ୍ତି। ଆଇଏସ୍‌ ଏବଂ ତାଲିବାନ ପରସ୍ପରର ବିରୋଧୀ। ଏହାର ସୁଯୋଗ ଆମେରିକା ନେବାକୁ ଯାଉଛି। ଆଫଗାନିସ୍ତାନ ଛାଡ଼ି ଥିଲେ ବି ଆମେରିକା ଆତଙ୍କବାଦ ବିରୋଧରେ ଲଢ଼େଇ ଜାରି ରଖିବ ବୋଲି ଏଥିରୁ ସ୍ପଷ୍ଟ ହୋଇଛି।

ଆମେରିକାର ଜଏଣ୍ଟ୍‌ ଚିଫ୍‌ ଅଫ୍‌ ଷ୍ଟାଫ୍‌ର ଅଧ୍ୟକ୍ଷ ଆର୍ମି ଜେନେରାଲ ମାର୍କ ମିଲିଙ୍କୁ ଏନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଆଫଗାନିସ୍ତାନରେ ଆଇଏସ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଆମକୁ ତାଲିବାନ ସହିତ ସମନ୍ବୟ ରକ୍ଷା କରିବାକୁ ପଡ଼ିବ। ତାଲିବାନ୍‌ ଏକ କ୍ରୁର ସଂଗଠନ। ତେବେ ଏହାର କାର୍ଯ୍ୟଧାରାରେ ପରିବର୍ତ୍ତନ ଆସୁଛି କି ନାହିଁ ତାହା ଦେଖିବା ପରେ ଆମେରିକା ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବ।

ଯୁଦ୍ଧରେ ସବୁବେଳେ ନିଜର ସୈନ୍ୟ ବାହିନୀଙ୍କୁ ସୁରକ୍ଷିତ ରଖି ଆଗେଇବା ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ନିଜ ପ୍ରତିଶ୍ରୁତି ରକ୍ଷା କରି ତାଲିବାନ ଲୋକଙ୍କୁ ସୁରକ୍ଷିତ ଭାବେ ଆଫଗାନିସ୍ତାନରୁ ବାହାରିବାରେ ଆବଶ୍ୟକ ସହାୟତା ଯୋଗାଇ ଦେଇଥିବା ସେ କହିଛନ୍ତି।

Share