Categories: ଜାତୀୟ

ବେଆଇନ ନିର୍ମାଣ ବିବାଦ: ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବରଙ୍କୁ ଭେଟିଲେ ସୋନୁ ସୁଦ

ମୁମ୍ବାଇ,୧୩।୧: ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କ ବେଆଇନ ହୋଟେଲ ନିର୍ମାଣ ମାମଲା ଏବେ ବମ୍ବେ ହାଇକୋର୍ଟରେ ବିଚାରଧୀନ ରହିଛି। ବ୍ରିହମୁମ୍ବାଇ ମୁନିସିପାଲ କର୍ପୋରେଶନ (ବିଏମ୍‌ସି) ପକ୍ଷରୁ ଦିଆଯାଇଥିବା ନୋଟିସରେ ସ୍ଥଗିତାଦେଶ ପାଇଁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ସୋନୁ। ଲକ୍‌ଡାଉନରେ ଲକ୍ଷ ଲକ୍ଷ ଶ୍ରମିକଙ୍କ ସହାୟତା ପାଇଁ ଆଗେଇ ଆସିଥିବା ଏହି ଅଭିନେତା ବୁଧବାର ଜାତୀୟ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବରଙ୍କୁ ବୁଧବାର ଭେଟିଛନ୍ତି।

ଗତବର୍ଷ ଅକ୍ଟୋବରରେ ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ନୋଟିସକୁ ପ୍ରଥମେ ବାତିଲ କରିବା ଲାଗି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୋନୁଙ୍କ ଏହି ଯାଚିକା ଖାରଜ ହେବା ପରେ ବିଏମ୍‌ସି ନୋଟିସକୁ ଚ୍ୟାଲେଞ୍ଜ କରିଥିଲେ କୋର୍ଟରେ। ଜାନୁୟାରୀ ୧୩ ତାରିଖ ପର୍ଯ୍ୟନ୍ତ ସାମୟୀକ ସ୍ଥଗିତାଦେଶ ଦେଇଥିଲେ ବମ୍ବେ ହାଇକୋର୍ଟ। ତେବେ ବିଏମ୍‌ସି ପକ୍ଷରୁ କୋର୍ଟରେ ଦାଖଲ କରାଯାଇଥିବା ଆଫିଡେଭିଟ୍‌ରେ ବଲିଉଡ୍‌ର ଏହି ଅଭିନେତାଙ୍କୁ ଜଣେ ଅଭ୍ୟାସଗତ ଅପରାଧି କୁହାଯାଇଛି। ବିନା ବିଏମ୍‌ସି ଅନୁମତିରେ ସେ ନିଜ ବାସଭବନକୁ ହୋଟେଲରେ ପରିଣତ କରିଛନ୍ତି। ଏହି ବିବାଦ ୨୦୧୮ ଜାନୁୟାରୀଠାରୁ ଚାଲୁଛି।

Share