ଲାଞ୍ଚ ନେଇ ଧରାପଡିଲେ ଅମୀନ

ବାରିପଦା,୧୦।୭,(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଷ୍ଟେସନ ବଜାରସ୍ଥିତ ସେଟେଲମେଣ୍ଟ ଅଫିସ(ଜମି ବନ୍ଦୋବସ୍ତ କାର୍ଯ୍ୟାଳୟ)ର ଅମୀନ ମାନସ ଦାସ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି । ତାଙ୍କଠାରୁ ୩ହଜାର ୬ଶହ ରଙ୍ଗ ବୋଳା କେମିକାଲ ନୋଟ ଜବତ ହୋଇଛି। ଏହା ସହିତ ତାଙ୍କ ପୈତୃକ ଘର, ସରକାରୀ ବାସଭବନ ଓ ଅଫିସରେ ଚଢ଼ାଉ ଜାରି ରହିଛି । ବାରିପଦା ଭିଜିଲାନ୍ସ ବିଭାଗର ଡିଏସପି ଜୟନ୍ତୀ ଦଳେଇଙ୍କ ଠାରୁ ପ୍ରକାଶ, ରାଇରଙ୍ଗପୁର ଅଞ୍ଚଳର ଚିତ ରଞ୍ଜନ ମହାନ୍ତ ଜମିଜମା ସଂକ୍ରାନ୍ତୀୟ କାଗଜପତ୍ର କାଢିବା ପାଇଁ ଆବେଦନ କରିଥିଲେ । ଏ ବାବଦରେ ପ୍ରତି କାଗଜ ପ୍ରତି ୯ଶହ ଟଙ୍କା ଲେଖାଏ ୭ପୃଷ୍ଠା କାଗଜ ନିମନ୍ତେ ମାନସ ୬ ହଜାର ୩ ଶହ ଟଙ୍କା ଲାଞ୍ଚ ମାଗିଥିଲେ । ଏହାକୁ ନେଇ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ । ବାଲେଶ୍ବର ଓ ମୟୂରଭଞ୍ଜ ଭିଜିଲାନ୍ସର ଯୋଜନା ମୁତାବକ ଚିତରଞ୍ଜନ ୪ଟି କାଗଜ ପାଇଁ ୩ ହଜାର ୬ ଶହ ଟଙ୍କା ଲାଞ୍ଚ ଦେଇଥିଲେ । ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ବିଭାଗ ମାଡି ବସି ସମସ୍ତ ଟଙ୍କା ଜବତ କରିଥିଲେ । ଏହା ସହିତ ୩ ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।