ୟାସିନ ମଲିକଙ୍କ ସମର୍ଥନରେ ବାହାରିଲେ ଆଫ୍ରିଦି: ଅମିତ୍‌ ମିଶ୍ର ଦେଲେ ମୁହଁତୋଡ଼ ଜବାବ

ନୂଆଦିଲ୍ଲୀ, ୨୫।୫: ଆତଙ୍କବାଦୀ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜମ୍ମୁ କଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦି ଏକ ବିବାଦୀୟ ତଥା ଉତ୍ତେଜନାମୂଳକ ଟୁଇଟ କରିଛନ୍ତି। ସେ ଏହି ଟୁଇଟରେ ୟାସିନ ମଲିକଙ୍କୁ ସମର୍ଥନ କରିଛନ୍ତି। ଏହା ଉପରେ ଭାରତୀୟ କ୍ରିକେଟର ଅମିତ ମିଶ୍ର ଆଫ୍ରିଦିଙ୍କୁ କଡ଼ା ଜବାବ ଦେଇଛନ୍ତି।
ଆତଙ୍କବାଦ ପାଣ୍ଠି ଯୋଗାଣ ମାମଲାରେ ଦିଲ୍ଲୀର ଏକ ସ୍ବତନ୍ତ୍ର କୋର୍ଟ ଆଜି ୟାସିନ ମଲିକଙ୍କୁ ଦଣ୍ଡିତ କରିବେ। ସେ ତାଙ୍କ ଅତିବେଶୀରେ ଆଜୀବନ କାରାଦଣ୍ଡ କିମ୍ବା ଫାଶୀ ଦଣ୍ଡାଦେଶ ହେବାର ସମ୍ଭାବନା ରହିଛି। ଏହା ଉପରେ ଆଫ୍ରିଦି ଟୁଇଟ୍‌ରେ ଲେଖିଛନ୍ତି – କଶ୍ମୀରରେ ମାନବିକ ଅଧିକାରର ଉଲ୍ଲଂଘନ ବିରୋଧରେ ଯେଉଁମାନେ ସ୍ବର ଉତ୍ତୋଳନ କରୁଛନ୍ତି ସେମାନଙ୍କୁ ଭାରତ ଯେଉଁଭଳି ଭାବରେ ଚୁପ୍‌ କରିବାକୁ ଚେଷ୍ଟା କରୁଛି, ଏହାର କୌଣସି ଯଥାର୍ଥତା ନାହିଁ। ୟାସିନ ମଲିକଙ୍କ ବିରୋଧରେ ଆସିଥିବା ଅଭିଯୋଗ କଶ୍ମୀରର ସ୍ବାଧୀନତା ସଂଗ୍ରାମକୁ ବନ୍ଦ କରିବ ନାହିଁ। କଶ୍ମୀର ନେତାଙ୍କ ଉପରେ ନିଆଯାଉଥିବା ବେଆଇନ କାର୍ଯ୍ୟାନୁଷ୍ଠାନ ବିଷୟରେ ନଜର ଦେବାକୁ ମୁଁ ଜାତିସଂଘକୁ ନିବେଦନ କରୁଛି।
ଆଫ୍ରିଦଙ୍କ ଟୁଇଟ୍‌ ପରେ ଭାରତୀୟ କ୍ରିକେଟର୍‌ ଅମିତ ମିଶ୍ର ତାଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି। ଅମିତ ମିଶ୍ର ଟୁଇଟ୍‌ ଯୋଗେ ଲେଖିଛନ୍ତି, ପ୍ରିୟ ଶାହିଦ ଆଫ୍ରିଦି! ୟାସିନ ମଲିକ କୋର୍ଟ ପରିସରରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତୁମର ଜନ୍ମ ତାରିଖ ପରି ସବୁକିଛି ଭ୍ରମାତ୍ମକ ହୋଇପାରିବ ନାହିଁ। ଅମିତଙ୍କ ଏହି ଟୁଇଟ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅତୀତରେ ଆଫ୍ରିଦି କଶ୍ମୀର ପ୍ରସଙ୍ଗରେ ଅନେକ ଥର ଉତ୍ତେଜନାମୂଳକ ମନ୍ତବ୍ୟ ଦେଇଛନ୍ତି।

Share