Categories: ଖେଳ

ଅମିତ ରୋହିଦାସ ଉପଅଧିନାୟକ

ନୂଆଦିଲ୍ଲୀ,୧୬ା୧୧(ପି.ଟି): ଅଷ୍ଟ୍ରେଲିଆ ଗସ୍ତ ପାଇଁ ୨୩ ଜଣିଆ ପୁରୁଷ ଦଳ ଘୋଷଣା କରିଛି ହକି ଇଣ୍ଡିଆ। ଡ୍ରାଗ ଫ୍ଲିକର ହରମନ୍‌ପ୍ରୀତ ସିଂଙ୍କ ନେତୃତ୍ୱରେ ମଙ୍ଗଳବାର ଦଳ ଘୋଷଣା ହୋଇଥିବା ବେଳେ ଦୁଇ ଜଣ ଓଡ଼ିଆ ଖେଳାଳିଙ୍କୁ ସାମିଲ କରାଯାଇଛି। ଡିଫେଣ୍ଡର ଅମିତ ରୋହିଦାସ ଓ ନୀଲମ ସଞ୍ଜୀପ ଖେସଙ୍କୁ ଏହି ଦଳରେ ସାମିଲ କରାଯାଇଛି। ଅମିତ ରୋହିଦାସଙ୍କୁ ଏହି ସିରିଜ ପାଇଁ ହରମନ୍‌ପ୍ରୀତଙ୍କ ଡେପୁଟି ଭାବେ ଚୟନ କରାଯାଇଛି। ବିଶ୍ୱକପ୍‌ ପ୍ରସ୍ତୁତି ପାଇଁ ଭାରତ ଏହି ଗସ୍ତରେ ଯାଇ ୫ଟି ମ୍ୟାଚ ଖେଳିବ। ନଭେମ୍ବର ୨୬ରେ ଆଡିଲେଡରେ ପ୍ରଥମ ମ୍ୟାଚ ଖେଳାଯିବ। ଭୁବନେଶ୍ୱର ଓ ରାଉରକେଲାରେ ଆସନ୍ତା ସଂସ୍କରଣର ବିଶ୍ୱକପ୍‌ ଜାନୁୟାରୀ ୧୩-୨୯ ଯାଏ ଖେଳାଯିବ। ଭୁବନେଶ୍ୱର ଓ ରାଉରକେଲା ବିଶ୍ୱକପ୍‌ ପୂର୍ବରୁ ଅଷ୍ଟ୍ରେଲିଆ ଗସ୍ତ ଭାରତ ପାଇଁ ଭଲ ସୁଯୋଗ ବୋଲି କହିଛନ୍ତି କୋଚ୍‌ ଗ୍ରାହାମ ରିଡ୍‌। ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଦଳ ବିପକ୍ଷରେ ଖେଳିବା ବିଶ୍ୱକପ ପ୍ରସ୍ତୁତି ପାଇଁ ଶ୍ରେଷ୍ଠ ଅବସର ବୋଲି କୋଚ ନିଜ ବୟାନରେ କହିଛନ୍ତି। ଉଭୟ ଅଭିଜ୍ଞ ଓ ଯୁବ ଖେଳାଳିଙ୍କ ସମ୍ମିଶ୍ରଣରେ ଏକ ଶକ୍ତିଶାଳୀ ଦଳ ଚୟନ କରାଯାଇଛି ବୋଲି ରିଡ୍‌ କହିଛନ୍ତି। ଏହା ସହିତ ଯୁବ ଖେଳାଳିମାନଙ୍କୁ ଅନ୍ତର୍ଜାତୀୟ ଅଭିଜ୍ଞତା ପ୍ରଦାନ ପାଇଁ ଏହା ସର୍ବୋତ୍କୃଷ୍ଟ ସମୟ ବୋଲି କହିଛନ୍ତି ରିଡ୍‌। ମନ୍‌ଦୀପ ସିଂଙ୍କ ସହିତ ଦିଲପ୍ରୀତ ସିଂ, ଅଭିଷେକ ଓ ସୁଖଜିତ ସିଂ ଫରଓ୍ବାର୍ଡ ଭାବେ ଦଳରେ ସାମିଲ ଅଛନ୍ତି। ସେହିପରି ଭୁବନେଶ୍ୱରରେ ଖେଳା ଯାଇଥିବା ପ୍ରୋ ହକି ଲିଗ୍‌ରେ ଅନୁପସ୍ଥିତ ଥିବା ଡିଫେଣ୍ଡର ବରୁଣ କୁମାର ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପ୍ରୋ ହକି ଲିଗ୍‌ରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୨-୦ରେ ବିଜୟୀ ହୋଇଥିବା ବେଳେ ସ୍ପେନ୍‌ ସହିତ ୧-୧ରେ ଡ୍ର ରଖିଥିଲା।
ଭାରତୀୟ ଦଳ: ଗୋଲକିପର୍ସ: କ୍ରିଷନ୍‌ ବାହାଦୁର ପାଠକ, ଶ୍ରୀଜେସ୍‌ ପରାଟ୍ଟୁ ରବୀନ୍ଦ୍ରନ
ଡିଫେଣ୍ଡର୍ସ: ଜରମନପ୍ରୀତ ସିଂ, ସୁରେନ୍ଦର କୁମାର, ହରମନ୍‌ପ୍ରୀତ୍‌ ସିଂ (ଅଧିନାୟକ), ଅମିତ ରୋହିଦାସ (ଉପ ଅଧିନାୟକ), ଯୁଗରାଜ ସିଂ, ମନଦୀପ୍‌ ମୋର, ନୀଲମ ସଞ୍ଜୀପ ଖେସ୍‌, ବରୁଣ କୁମାର।
ମିଡ୍‌ଫିଲ୍ଡର୍ସ: ସୁମିତ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ଶମସେର ସିଂ, ନୀଳକଣ୍ଠ ଶର୍ମା, ରାଜକୁମାର ପାଲ, ମହମ୍ମଦ ରାହିଲ ମୌସିନ୍‌, ଆକାଶଦୀପ ସିଂ, ଗୁରୁଜନ୍ତ ସିଂ।
ଫରଓ୍ବାର୍ଡସ: ମନଦୀପ ସିଂ, ଅଭିଷେକ, ଦିଲପ୍ରୀତ ସିଂ, ସୁଖଜିତ ସିଂ।

Share