Categories: ଜାତୀୟ

ପୁଡୁଚେରୀରେ ସରକାର ଗଢିବ ଏନ୍‌ଡିଏ: ଶାହା

ପୁଡୁଚେରୀ,୨୮ ।୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବେ ପୁଡୁଚେରୀ ଗସ୍ତରେ ଅଛନ୍ତି । ରବିବାର ସେ କରାଇକଲଠାରେ ଏକ ଜନସଭାକୁ ସାମ୍ବାଧନ କରିବା ଅବସରରେ କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ନାରାୟଣସ୍ୱାମୀ ସରକାର କେନ୍ଦ୍ର ଶାସିତ ପ୍ରଦେଶରେ ଭ୍ରଷ୍ଟାଚାରର ଗଙ୍ଗା ବହିବା ଭଳି କାମ କରିଛନ୍ତି । କେନ୍ଦ୍ର ସରକାର ପୁଡୁଚେରୀର ବିକାଶ ପାଇଁ ୧୫ ହାଜାର କୋଟି ଟଙ୍କା ଦେଇଥିବା ବେଳେ ନାରାୟଣସ୍ୱାମୀ ସରକାର ଏହାକୁ ଗାନ୍ଧୀ ପରିବାରର ସେବାରେ ଲଗାଇ ଦେଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏଠାରେ ନଗରନିଗମ ନିର୍ବାଚନ କରାଯାଉନାହିଁ । ଏହାର କାରଣ ହେଉଛି ଯଦି ଏଠାରେ ନିର୍ବାଚନ କରାଯିବ ତେବେ ଭାରତୀୟ ଜନତା ପାର୍ଟି(ଭାଜପା) ନିଶ୍ଚୟ ବିଜୟ ଲାଭ କରିବ । ଶାହା ଆହୁରି ମଧ୍ୟ କହିଛନ୍ତି କେବଳ ପୁଡୁଚେରୀ ନୁହେଁ ଦେଶର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ଏବେ ଭାଜପାରେ ଯୋଗ ଦେଉଛନ୍ତି । ଏହାର କାରଣ ହେଉଛି କଂଗ୍ରେସର ଆଉ ଯୋଗ୍ୟତା ନାହିଁ । ଏବେ କଂଗ୍ରେସ ଅଭିଯୋଗ କରୁଛି କି ଭାଜପା ପାଇଁ ତାଙ୍କ ସରକାର ଭାଙ୍ଗି ଯାଇଛି । ହେଲେ କଂଗ୍ରେସ ସରକାର କେବଳ ଭ୍ରଷ୍ଟାଚାର ପାଇଁ ଭାଙ୍ଗିଛି ବୋଲି ବୋଧହୁଏ କଂଗ୍ରେସ ଭୁଲି ଯାଉଛି । କଂଗ୍ରେସ ସରକାର କେବଳ ବଂଶବାଦ ଓ ପରିବାର ବାଦ ପାଇଁ ସମ୍ପୂର୍ଣ୍ଣ ଦେଶରେ ବେଶ୍ ଜଣାଶୁଣା । ଶାହା କହିଛନ୍ତି ମୁଁ ମୋ ଅନୁଭୁତିକୁ ନେଇ କହୁଛି ଆସନ୍ତା ନିର୍ବାଚନ ପରେ ପୁଡୁଚେରୀରେ ଭାଜପା ନେତୃତ୍ୱରେ ଏନ୍‌ଡିଏ ସରକାର ଗଠନ କରିବ । ଏବେ ପୁଡୁଚେରୀରେ ୭୫ ପ୍ରତିଶତ ଯୁବତୀଯୁବକ ବେକାର ରହିଛନ୍ତି । ହେଲେ ଏନ୍‌ଡିଏ ସରକାର ଗଠନ କଲେ ଆମେ ଏହାକୁ ୪୦ପ୍ରତିଶତରୁ କମ୍ କରିଦେବୁ ବୋଲି ଶାହା କଥା ଦେଇଛନ୍ତି ।

Share