ବେଙ୍ଗାଲୁରୁ,୨୮।୪: କର୍ନାଟକ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସେଠାକାର ରାଜନୀତିର ପାଣିପାଗ ସେତେ ଉଷ୍ମ ହେବାରେ ଲାଗିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର କର୍ନାଟକ ଗସ୍ତ କରିଛନ୍ତି। ଶାହା ଧାରଓ୍ବାଡର ନବଲଗୁଂଦ ବିଧାନସଭା ଆସନରେ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି। ଶାହା କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ଖାର୍ଗେ ମୋଦିଙ୍କ ତୁଳନା କଳା ସାପ ସହ କରିଛନ୍ତି, କେବେ କେବେ କଂଗ୍ରେସ ନେତା କହୁଛନ୍ତି ମୋଦି ତୁମର କବର ଖୋଳିବୁ, ସୋନିଆ ଗାନ୍ଧୀ କହୁଛନ୍ତି ମୌତ କା ସୌଦାଗର, ପ୍ରିୟଙ୍କା ଗାନ୍ଧୀ କହୁଛନ୍ତି ନିଚ ଜାତିର ଲୋକ। କଂଗ୍ରେସବାଲାଙ୍କ ମତି ମରିଯାଇଛି, ସେମାନେ ମୋଦିଙ୍କୁ ଯେତେ ଗାଳି ଦେବେ ପଦ୍ମ ସେତେ ଭଲ ଫୁଟିବ।
ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, କଂଗ୍ରେସ ୭୦ ବର୍ଷ ଧରି ଧାରା ୩୭୦କୁ ନିଜ କୋଳରେ ଛୋଟ ପିଲାଭଳି ଧରି ରଖିଥିଲା। କଂଗ୍ରେସ, ଜେଡିଏସ, ସପା, ବସପା, ମମତା ସମସ୍ତେ କହୁଥିଲେ ଏହାକୁ ହଟାନ୍ତୁ ନାହିଁ ତ କଶ୍ମୀରରେ ରକ୍ତର ଦନୀ ବହିଯିବ। ଏବେ ଧାରା ୩୭୦ ହଟି ଯାଇଛି ରକ୍ତର ନଦୀ କଥା ତ ଛାଡନ୍ତୁ କାହାର କଙ୍କଡା ଉଠାଇବାକୁ ବି ସାହସ ନାହିଁ।